ଭୁବନେଶ୍ୱର : ପୂର୍ବରୁ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ଆମ ଶରୀରରେ ହାର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି । ଫଳରେ ବର୍ତ୍ତମାନ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ । ଅପରପେକ୍ଷ ଗତ ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ରେଟ ବଢ଼ିନାହିଁ । ଏପରିକି ହସ୍ପିଟାଲରେ ରୋଗୀ ଅଧିକ ମଧ୍ୟ ନାହାନ୍ତି । ଆଗକୁ ଯଦି ସଂକ୍ରମଣ ଆସେ, ଏହାର କିପରି ମୁକାବିଲା କରାଯିବ ସେନେଇ ଆମେ ସବୁ ସ୍ତରରେ ପ୍ରସ୍ତୁତ ହୋଇଛୁ । ସର୍ଭେଲାନ୍ସକୁ ଜୋରଦାର କରାଯିବ । ଯାହା ପାଖରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି । ବର୍ତ୍ତମାନ ରୋଗୀ ନଥିଲେ ମଧ୍ୟ ଆବଶ୍ୟକ ଠାରୁ ଅଧିକ ଶଯ୍ୟା ମହଜୁଦ ରଖାଯାଇଛି । ଆବଶ୍ୟକ ହେଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଡ. ମହାପାତ୍ର କହିଛନ୍ତି ଯେ, ନୂଆ ଭାରିଆଣ୍ଟକୁ ନେଇ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ ।
ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ । କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ । ସମସ୍ତଙ୍କୁ ଅନୁରୋଧ ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ । ପୂର୍ବ ଲହର ପରି ଏଥର ମଧ୍ୟ ଯଦି ସଂକ୍ରମଣ ବଢେ ରାଜ୍ୟ ସରକାର ଚିକିତ୍ସା ଦାୟିତ୍ୱ ନେବେ । ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିଛନ୍ତି । ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ । ଯେଉଁ ଯାତ୍ରୀମାନେ ବାହାରୁ ଆସୁଛନ୍ତି ସେମାନେ ଆସିବା ପୂର୍ବରୁ ସେମାନଙ୍କର ଟେଷ୍ଟ ରିପୋର୍ଟ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ବିମାନବନ୍ଦରରେ ସବୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଟେଷ୍ଟ କରାଯିବ । ଯଦି ଲକ୍ଷଣ ଥିବା ଜଣାପେଡ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ରହିବାର ବ୍ୟବସ୍ଥା ମଧ୍ୟ କରାଯିବ । ବିଶେଷ କରି ବର୍ତ୍ତମାନ ଯେଊଁମାନେ ବି ଆସୁଛନ୍ତି ସେମାନଙ୍କର ଗାଇଡ ଲାଇନ ଅନୁସାରେ ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅପରପକ୍ଷେ ଗତକାଲି ଆଡଭାଇଜରି ଜାରି ହେବା ପରେ ଆଜି ଚୀନ୍ ଓ ଜାପାନ ଆଦି ୫ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶାରେ ୫୯ ପ୍ରତିଶତ ଲୋକ ଏଯାଏଁ ବୁଷ୍ଟର ଡୋଜ୍ ନେବାକୁ ବାକି ଅଛନ୍ତି । ୧୮ ଓ ତା’ଠୁ ଅଧିକ ବର୍ଷ ବର୍ଗରେ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧ କୋଟି ୩୧ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଏବେ ବି ରାଜ୍ୟର ୧୨ଟି ଘରୋଇ ମେଡିକାଲରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ୩୮୦ ଟଙ୍କାରେ ବିକ୍ରି ହେଉଛି । ପୁଣି କୋଭିଡ୍ ସଂକ୍ରମଣ ବଢୁଥିବା କଥା ଶୁଣି ଲକ୍ଷଣ ଥିବା ଲୋକେ ଟେଷ୍ଟିଂ ପାଇଁ ଆସୁଥିବାବେଳେ କେହି କେହି ପ୍ରିକସନ ଡୋଜ୍ ବି ନେଉଛନ୍ତି । ନଭେମ୍ବର ୨୯ ପରଠୁ ରାଜ୍ୟରେ ସରକାରୀ ଟିକାକରଣ ବନ୍ଦ ରହିଛି । ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଟିକା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।