ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ । ଏପରିକି ଦିଲ୍ଲୀଠାରୁ ବି ସ୍ଥିତି ଅଧିକ ଖରାପ ହୋଇଗଲାଣି । ରାଜ୍ୟର ଗୋଟିଏ ପରେ ଗୋଟିଏ ସହରର ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଲାଣି । ତାଳଚେର, ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଦିଲ୍ଲୀ ସହରକୁ ଟପିଗଲାଣି । ଏବେ ପୁଣି ବାଲେଶ୍ୱର ମଧ୍ୟ ଚିନ୍ତାର କାରଣ ପାଲଟିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିବିସିବି) ତଥ୍ୟ ଅନୁଯାୟୀ, ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଅତି ସାଂଘାତିକ ସ୍ତରରେ ରହିଛି, ଯାହାକି ଦିଲ୍ଲୀଠାରୁ ଅଧିକ । ଅପରାହ୍ଣ ୪ଟା ସୁଦ୍ଧା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍ ୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି । ଯେତେବେଳେ କି ବାଲେଶ୍ୱରର ଏକ୍ୟୁଆଇ ପିଏମ୍୨.୫ ଓ ଧୂଳିକଣାର ମାତ୍ରା ୩୩୪ରେ ପହଞ୍ଚିଛି ।
ଗତ କିଛିଦିନ ହେବ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି । ଚିନ୍ତାର ବିଷୟ ହେଉଛି ଯେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ ସହର ରହିଛି । ବାଲେଶ୍ୱର ବ୍ୟତୀତ ବାରିପଦାରେ ଏକ୍ୟୁଆଇ ପିଏମ୍୨.୫ ମାତ୍ରା ୩୧୬ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରେକର୍ଡ ହୋଇଛି । ପର୍ବପର୍ବାଣି କିମ୍ବା ବାଣ ଫୁଟା ନ ଥିଲେ ମଧ୍ୟ ଭୁବନେଶ୍ୱର ଓ କଟକରେ ପ୍ରଦ୍ୟୁଷଣ ଦୂଷିତ ହେବାରେ ଲାଗିଛି । ଭୁବନେଶ୍ୱରର ବାୟୁ ଆଜି ଅତି ସାଂଘାତିକ ସ୍ତରରେ ପହଞ୍ଚିଛି । ଏଠାରେ ଏକ୍ୟୁଆଇ ପିଏମ୍୨.୫ ମାତ୍ରା ୩୧୧ ରେକର୍ଡ ହୋଇଛି । ସେହିପରି କଟକ ସହରର ବାୟୁ ପୁଣି ଥରେ ଅତି ସାଂଘାତିକ ସ୍ତର ତଥା ୩୨୦ ରେକର୍ଡ କରାଯାଇଛି ।
ଆଜିର ଦିନରେ ଅନୁଗୁଳର ପିଏମ୍୨.୫ ମାତ୍ରା ୩୦୦ ଓ ତାଳଚେରରେ ୨୫୧ ରହିଛି । ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି । ପରିଣାମ ସ୍ୱରୂପ ଏବେ ହୃଦ୍ଘାତ, ଶ୍ୱାସକ୍ରିୟା ଜନିତ ଓ ଆଜ୍ମା ପରି ରୋଗ ବ୍ୟାପିବାରେ ଲାଗିଛି । ଘରେ ଘରେ ଥଣ୍ଡା ରୋଗ ବ୍ୟାପିବାରେ ଲାଗିଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା, କେନ୍ଦୁଝର, ଅନୁଗୁଳ ସହରର ମେଡିକାଲଗୁଡ଼ିକରେ କାଶ, ଛିଙ୍କ, ଥଣ୍ଡା, ଶ୍ୱାସ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।
ରାସ୍ତାଘାଟ ଉନ୍ନତୀକରଣ କାମ ସହ ଶିଳ୍ପାନୁଷ୍ଠାନ ଦ୍ୱାରା ଏଭଳି ସମସ୍ୟା ହେଉଥିବା ଜଣାପଡିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ସ୍ତରକୁ ୦ରୁ ୫୦୦ ଭିତରେ ୬ ଭାଗରେ ବିଭକ୍ତ କରାଯାଇଥାଏ । ପ୍ରଦୂଷଣ ସ୍ତରକୁ ଦେଖି ୦-୫୦ ଭିତରେ ଥିବା ବାୟୁ ଭଲ ଓ ଏଥିପାଇଁ ନୀଳ ଚିହ୍ନ ବ୍ୟବହାର କରାଯାଏ । ୫୧-୧୦୦ ଚଳନୀୟ (ମଡରେଟ), ୧୦୧ରୁ ୧୫୦ କେତେକ ରୋଗୀଙ୍କ ପାଇଁ ଅସ୍ୱାସ୍ଥ୍ୟକର ଓ ନାଲି ଚିହ୍ନରେ ଥିବା ୧୫୧ରୁ ୨୦୦ ସ୍ତର ଅସ୍ୱାସ୍ଥ୍ୟକର, ୨୦୧ରୁ ୩୦୦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ୩୦୧ରୁ ଅଧିକ ମାତ୍ରାକୁ ଅତି ଖରାପ ସ୍ତରରେ ରଖାଯାଇଛି ।