ନୂଆଦିଲ୍ଲୀ : ୟୁପିଏସ୍ସି କିମ୍ବା ପ୍ରାଦେଶିକ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ଯବାନଙ୍କୁ ଚାକିରି ଛାଡିବାକୁ ଭାରତୀୟ ବାୟୁସେନା କର୍ତ୍ତୃପକ୍ଷ ଅନୁମତି ଦେଉନାହାନ୍ତି । ଏହି ପରିପ୍ରେକ୍ଷୀରେ ଏଭଳି ଯୋଗ୍ୟତା ହାସଲ କରିଥିବା ଯବାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଚାକିରି ଛାଡିବାକୁ ଅନୁମତି ଦେବାକୁ ଆର୍ମଡ ଫୋର୍ସେସ୍ ଟ୍ରିବ୍ୟୁନାଲ ଇତିମଧ୍ୟରେ ବାୟୁସେନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଏ ସମ୍ପର୍କିତ ବିଭାଗୀୟ ନିୟମ କାନୁନ୍କୁ ତୁରନ୍ତ ସଂଶୋଧନ କରିବାକୁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ରାଜେନ୍ଦ୍ର ମେନନ୍ ବାୟୁସେନାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ବାୟୁସେନାରେ କାର୍ଯ୍ୟରତ ଆୟୂଷ ମୌର୍ଯ୍ୟ ଓ କୁଲଦୀପ ବିଭୂତି ନାମକ ଦୁଇ ଯବାନ ଇତିମଧ୍ୟରେ ୟୁପିଏସ୍ସି ଓ ବିହାର ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଚାକିରୀ ଛାଡିବାକୁ ଅନୁମତି ଦିଆଯାଉନାହିଁ । ତେଣୁ ସେମାନେ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ । ଆୟୁଷ ଗତବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମସୌରୀରେ ତାଲିମ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ବିଭୂତି ବିହାର ପ୍ରୋଭିନ୍ସିଆଲ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନେ ସିଭିଲ ସର୍ଭିସ ପରୀକ୍ଷା ଦେବାପୂର୍ବରୂ କର୍ତ୍ତୃପକ୍ଷଙ୍କ ଅନୁମତି ନେଇନଥିବାରୁ ବର୍ତ୍ତମାନ ଏନ୍ଓସି (ନୋ ଅବ୍ଜେକ୍ସନ ସାର୍ଟିଫିକେଟ) ପ୍ରଦାନ କରିବା ଅସମ୍ଭବ ବୋଲି ବାୟୁସେନା କାରଣ ଦର୍ଶାଇଥିଲା ।