ଚେନ୍ନଇ:ଦିନ ଯେତେ ଗଢ଼ୁଛି ତାମିଲନାଡୁ ରାଜନୀତିରେ ଘଡି କେ ଘୋଡା ଛୁଟୁଛି। ଦୁଇ ଫାଳ ହେଲା ଏଆଇଏଡିଏମକେ।ଏଆଇଏଡିଏମକେ ବିଦ୍ରୋହୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଜୟ।ଏଆଇଏଡିଏମକେ ର ବରିଷ୍ଠ ନେତା ସି.ଭି ସନମୁଗମଙ୍କ ନେତୃତ୍ୱରେ ଦଳର ୩୦ ଜଣ ବିଧାୟକ ମଙ୍ଗଳବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରନ ଯୋଶେଫ ବିଜୟଙ୍କ ତାମିଲଗା ଭେଟ୍ରି କାଝାଗମ କୁ ସମର୍ଥନ ଜଣାଇଛନ୍ତି।ସି.ଭି ସନମୁଗମଙ୍କ ନେତୃତ୍ୱରେ ଏକ ବିଧାୟକ ଗୋଷ୍ଠୀ ଦଳର ମୁଖ୍ୟ ଏଡପ୍ପାଡି କେ.ପଲାନିସ୍ୱାମୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଚାହୁଁଥିବା ଖବର ସାମ୍ନାକୁ ଆସିଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରନ ଯୋଶେଫ ବିଜୟଙ୍କୁ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ଥିବା ବେଳେ,ତା’ପୂର୍ବରୁ ଏଆଇଏଡିଏମ୍କେର ଏକ ଗୋଷ୍ଠୀ ତାଙ୍କ ଦଳକୁ ସମର୍ଥନ ଘୋଷଣା କରିଥିବାରୁ ଏହା ବେଶ୍ ଗୁରୁତ୍ୱ ବହନ କରୁଛି। ଚଳିତ ନିର୍ବାଚନରେ ୪୭ ଆସନରେ ଜିତିଛି ଏଆଇଏଡିଏମକେ। ମୈଲମ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସି.ଭି ସନମୁଗମ ଚେନ୍ନାଇରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,ବିଶେଷ କରି ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଜନାଦେଶ ହୋଇଛି। ତାହା ହେଉଛି ପ୍ରମୁଖ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା,ଯାହାକୁ ଆମକୁ ବୁଝିବାକୁ ପଡ଼ିବ। ଲୋକେ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଭୋଟ୍ ଦେଇଛନ୍ତି।ତେଣୁ ଆମେ ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ।ସେହି ଜନାଦେଶକୁ ସମ୍ମାନ ଜଣାଇ ଆମେ ପୂର୍ଣ୍ଣ ଆନ୍ତରିକତାର ସହିତ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଉଛୁ। ଆମେ ଏଆଇଏଡିଏମ୍କେର ବିଧାୟକ ଦଳର ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଉଛୁ। ସି.ଭି ଶନମୁଗମଙ୍କ ନେତୃତ୍ୱରେ ଏଆଇଏଡିଏମ୍କେର ୩୦ ଜଣ ବିଧାୟକ ଟିଭିକେକୁ ସମର୍ଥନ ଘୋଷଣା କରିଥିବା ବେଳେ ପଲାନିସ୍ୱାମୀଙ୍କ ସହିତ ଏବେ ବି ୧୭ ଜଣ ବିଧାୟକ ରହିଛନ୍ତି। ୧୦ ବର୍ଷ ଶାସନରେ ରହିବା ପରେ ୨୦୨୧ରେ ଏଆଇଏଡିଏମ୍କେକୁ ଗାଦିଚ୍ୟୁତ କରିଥିଲା ଡିଏମକେ। ସେଥର ଏଆଇଏଡିଏମ୍କେ ମାତ୍ର ୭୫ଟି ଆସନ ଜିତିଥିଳା।










