ଭୁବନେଶ୍ୱର: ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ)ଙ୍କୁ ଗିରଫ କରିଛି ଭିଜିଲାନ୍ସ । ଝାରସୁଗୁଡା ଆରଡବ୍ଲ୍ୟୁଏସ୍ଏସ୍ରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ରବୀନ୍ଦ୍ର ପାତ୍ର ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଠିକାଦାରଙ୍କ ବକେୟା ବିଲ୍ଗୁଡ଼ିକୁ ପାସ୍ କରି ଦେବା ପାଇଁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର ଠିକାଦାରଙ୍କୁ ୫୦ ହଜାର ଟଙ୍କା ଦାବି କରିଥିଲେ ।
ଫଳରେ ଏନେଇ ଉକ୍ତ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ଯୋଜନାବଦ୍ଧ ଭାବେ ଆଜି ରବୀନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ତାଙ୍କୁ ଧରିବା ପରେ ସେ ଲାଞ୍ଚ ଆକାରରେ ନେଉଥିବା ଟଙ୍କାକୁ ତାଙ୍କୁ ଠାରୁ ଜବତ କରିଛି ଭିଜିଲାନ୍ସ । ତାଙ୍କୁ କାବୁ କରିବା ପରେ ରବୀନ୍ଦ୍ର ପାତ୍ରଙ୍କ ୪ଟି ଠିକଣାରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ । ସେଗୁଡିକ ହେଲେ ସୁନ୍ଦରଗଡରେ ରହୁଥିବା ସରକାରୀ ଆବାସ, ଭୁବନେଶ୍ୱରରେ ଥିବା ଘର ଏବଂ ଗଜପତୀ ଜିଲ୍ଲାର ପରେଳାଖେମୁଣ୍ଡିରେ ତାଙ୍କ ସ୍ତ୍ରୀ ରହୁଥିବା ଘରେ ମଧ୍ୟ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଚଢ଼ଉ କରାଯାଇଛି ।