ଭୁବନେଶ୍ୱର: ଠକିବା ପାଇଁ ନୂଆ ବାଟ ବାଛିଲେ । କୃଷି ଉପକରଣ କମ୍ପାନୀ ଖୋଲି ସରକାରୀ ଟଙ୍କା ଲୁଟିବାକୁ ଯୋଜନା କରିଥିଲେ । ହେଲେ ଏହି ଠକେଇ ସାମ୍ରାଜ୍ୟ ବେଶି ଦିନ ତିଷ୍ଠିନଥିଲା । ଶେଷରେ ଇଓଡବ୍ଲ୍ୟୁ ହାତରେ ଧରାପଡ଼ି ଜେଲ୍ଗଲେ । ଚାଷୀଙ୍କୁ କୃଷି ଉପକରଣ ବିକ୍ରି କରିଥିବା ଦର୍ଶାଇ ସରକାରଙ୍କ ଠାରୁ ୬କୋଟି ୮୧ଲକ୍ଷ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦୁଇଭାଇଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏମ୍ଏସ୍ ଶୀତଲ୍ ଏଗ୍ରୋ ଇନ୍ପୁଟ୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଏବଂ ଏମ୍ଏସ୍ ମିଶିତା ଏଣ୍ଟରପ୍ରାଇଜେସର ପ୍ରୋପ୍ରାଇଟର୍ ମାନସ ରଞ୍ଜନ ଦାସ ଏବଂ ତାପସ କୁମାର ଦାସ । ଉଭୟଙ୍କୁ ଜଗତସିଂହପୁରରୁ ବୁଧବାର ଗିରଫ କରିବା ପରେ ଗୁରୁବାର ଜଗତସିଂହପୁର ଏସ୍ଡିଜିଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ୍ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଇଓଡବ୍ଲ୍ୟୁ ଅଭିଯୁକ୍ତଙ୍କଦ୍ୱୟ ଠାରୁ ଚାଷୀଙ୍କ ଦସ୍ତାବିଜ୍, ଜାଲ୍ କାଗଜପତ୍ର, ମନି ରସିଦ୍ ଓ ଗୋଟିଏ ହାର୍ଡଡିସ୍କ ଜବତ କରିଛି । ଏହି ମାମଲାରେ ଏକାଧିକ ଡିଲର୍ଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ତରଡ଼ାପଡ଼ା ପୁରୋହିତପୁରରେ ଏମ୍ଏସ୍ ଶୀତଲ ଏଗ୍ରୋ ଇନ୍ପୁଟ୍ସ ପ୍ରାଇଭେଟ ଲିମିଟେଡ୍ର ଅଫିସ୍ ରହିଛି । ରାଜ୍ୟ ସରକାରଙ୍କ କୃଷିବିଭାଗ ପକ୍ଷରୁ ଡିବିଟି (ଡାଇରେଟ୍କ ବେନିଫିଟ ଟ୍ରାନ୍ସଫର) ସ୍କିମ୍ ଜରିଆରେ ବିଭିନ୍ନ କୃଷି ଉପକରଣ ବିକ୍ରି କରିବାକୁ ଉକ୍ତ କମ୍ପାନୀକୁ ମାଲିକ ରଞ୍ଜନ ଓ ତାପସ ପଞ୍ଜିକୃତ କରାଇଥିଲେ । ତେବେ ଅଭିଯୁକ୍ତ ମାନସ ୨୦୧୮-୨୦୧୯ ଓ ୨୦୧୯-୨୦୨୦ ଆର୍ଥିକବର୍ଷରେ ଏମ୍ଏସ୍ ମିଶିତା ଏଣ୍ଟରପ୍ରାଇଜେସ ସମେତ ୮ଡିଲରଙ୍କ ଦ୍ୱାରା ୫୦୮ ଧାନରୁଆ ଯନ୍ତ୍ର ବିକ୍ରି କରିଥିବା ନେଇ ବିଭିନ୍ନ ଚାଷୀଙ୍କ ଜାଲ କାଗଜପତ୍ର ୱେବ୍ସାଇଟ୍ ଜରିଆରେ ଅପଲୋଡ୍ କରିଥିଲେ ।
ଅଭିଯୁକ୍ତମାନେ ରାଜ୍ୟର ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି ଓ ସମ୍ବଲପୁର ସମେତ ୧୯ଟି ଜିଲାର ଚାଷୀଙ୍କୁ ଧାନରୁଆ ଯନ୍ତ୍ର ବିକ୍ରି କରିଥିବା ଦର୍ଶାଇ ସବ୍ସିଡି ଅର୍ଥ ୬ କୋଟି ୮୧ଲକ୍ଷ ୫୩ ହଜାର ୪୮ ଟଙ୍କା ହଡ଼ପ କରିଥିଲେ । ତେବେ ଏହି ସବ୍ସିଡି ଅର୍ଥ ବିଭିନ୍ନ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯିବା ପରେ ମାନସ ଓ ତାଙ୍କ ଭାଇ ତାପସ ଏବଂ ଡିଲରମାନେ ଟଙ୍କା ହଡ଼ପ କରିନେଉଥିଲେ । ଅଭିଯୁକ୍ତମାନେ ଚାଷୀଙ୍କୁ ଅଳ୍ପ ପରିମାଣର ଅର୍ଥ ଦେଇ ବାକି ସିଂହଭାଗ ସବ୍ସିଡି ଟଙ୍କା ନେଇଯାଇଥିଲେ । ଏପରିକି ତଦନ୍ତରୁ ଜଣାପଡ଼ିଛି ଯେ ୨୦୧୮-୨୦୧୯ ଆର୍ଥିକ ବର୍ଷରେ ୫୦୪ ଧାନରୁଆ ଯନ୍ତ୍ରରୁ ୩୩୭ଟି ଏମ୍ଏସ୍ ମିଶିତା ଏଣ୍ଟରପ୍ରାଇଜେସର ପ୍ରୋପ୍ରାଇଟର୍ ତାପସ ଜରିଆରେ ବିକ୍ରି କରିଥିବା ଦର୍ଶାଯାଇଛି । ଦୁଇ ଭାଇ ମାନସ ଓ ତାପସ ଡିବିଟି ପୋର୍ଟାଲରେ ଜାଲି କାଗଜପତ୍ର ଦେଇ ଏହାର ସବ୍ସିଡି ଅର୍ଥ ହଡ଼ପ କରିଥିଲେ । ତେବେ ୨୦୨୧ ମସିହାର ଇଓଡବ୍ଲ୍ୟୁ କେସ୍ ନଂ ୭/୨୧ର ତଦନ୍ତ ଡିଏସ୍ପି ଏ.କେ ମିଶ୍ର କରୁଥିବା ସମୟରେ ଏହି ଠକେଇ ବିଷୟରେ ଜଣାପଡ଼ିଥିଲା । ଏନେଇ ଡିଏସ୍ପି ମିଶ୍ରଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁରେ ୨୦୨୨ ଏପ୍ରିଲ୍ ୨ରେ କେସ୍ ନଂ ୮/୨୨ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ଏବଂ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ମାନର ଚାଷ ପାଇଁ କୃଷି ଉପକରଣ କ୍ରୟ କରିବାକୁ ସରକାର ସବ୍ସିଡି ଯୋଗାଉଛନ୍ତି । ହେଲେ ଏକାଧିକ କମ୍ପାନୀ ଚାଷୀଙ୍କୁ କୃଷି ଉପକରଣ ବିକ୍ରି ନକରି ଉକ୍ତ ସବ୍ସିଡି ଟଙ୍କାକୁ ବେଆଇନ ଭାବେ ହଡ଼ପ କରୁଛନ୍ତି । ଏପରି ପୂର୍ବରୁ ଅନେକ ଠକେଇ ଘଟଣା ପଦାକୁ ଆସିଥିବା ବେଳେ ଏକାଧିକ କମ୍ପାନୀ କର୍ତ୍ତୃପକ୍ଷ ଧରାପଡ଼ି ଜେଲ୍ ଯାଇଛନ୍ତି ।