ଢାକା: ବାଂଲାଦେଶର ପୂର୍ବତନ ବାମହାତୀ ସ୍ପିନର୍ ମୋଶାରଫ୍ ହୋସେନ୍ ରୁବେଲ୍ଙ୍କର ଗତକାଲି ୪୦ ବର୍ଷ ବୟସରେ ପରଲୋକ ଘଟିଛି । ବୁଧବାର ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଟ୍ୱିଟର୍ରେ ଏହି ଘୋଷଣା କରିଛି । ହସେନ୍ଙ୍କ ପରିବାରରେ ପତ୍ନୀଙ୍କ ବ୍ୟତୀତ ଜଣେ ପୁତ୍ର ଅଛନ୍ତି । ଟ୍ୱିଟ୍ରେ ବିସିବି ହୋସେନ୍ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛି । ଦୁଇବର୍ଷର କ୍ୟାରିୟର୍ରେ ଏହି ବାମହାତୀ ସ୍ପିନର୍ ସମସ୍ତ ଫର୍ମାଟ୍ରେ ୫୫୦ରୁ ଅଧିକ ୱିକେଟ୍ ହାସଲ କରିଛନ୍ତି ବୋଲି ଟ୍ୱିଟ୍ରେ କୁହାଯାଇଛି । ଇଏସ୍ପିଏନ୍ କ୍ରିକ୍ଇନ୍ଫୋ ଅନୁସାରେ, ହୋସେନ୍ ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ଥିଲେ, ଯାହା ୨୦୧୯ ମାର୍ଚ୍ଚରେ ଜଣାପଡ଼ିଥିଲା । ଚିକିତ୍ସିତ ହେବା ପରେ ସେ ଏଥିରୁ ଆରୋଗ୍ୟ ଲାଭ କରୁଥିଲେ ।
ମାତ୍ର ୨୦୨୦ ନଭେମ୍ବରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ସେ ଗତ ଦୁଇ ସପ୍ତାହ ଧରି ହସ୍ପିଟାଲ୍ରେ ଥିବାବେଳେ କେମୋଥେରାପି ପରେ ନିକଟରେ ଘରକୁ ଫେରିଥିଲେ । ୧୯୮୧ରେ ଢାକାରେ ଜନ୍ମିତ ହୋସେନ୍ ୨୦୦୮ରୁ ୨୦୧୬ ମଧ୍ୟରେ ବାଂଲାଦେଶ ପକ୍ଷରୁ ପାଞ୍ଚଟି ଦିନିକିଆ ମ୍ୟାଚ୍ ଖେଳି ଚାରିଟି ୱିକେଟ୍ ହାସଲ କରିଥିଲେ । ବାଂଲାଦେଶ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୩ ହଜାର ରନ୍ ସ୍କୋର୍ ସହ ୩୦୦ ୱିକେଟ୍ ଅକ୍ତିଆର କରିଥିବା ସାତ ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ । ୨୦୧୩ ବାଂଲାଦେଶ ପ୍ରିମିୟର୍ ଲିଗ୍ ଫାଇନାଲ୍ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ତାଙ୍କ କ୍ୟାରିୟର୍ ମୁଖ୍ୟାଂଶ ମଧ୍ୟରୁ ଅନ୍ୟତମ ।
ସେହିପରି ମଙ୍ଗଳବାର ସକାଳେ ବାଂଲାଦେଶର ପ୍ରଥମ ଦିନିକିଆ ଟିମ୍ର ସଦସ୍ୟ ଥିବା ସମୀଉର୍ ରହମାନଙ୍କର ୬୯ ବର୍ଷ ବୟସରେ ପରଲୋକ ହୋଇଥିଲା । ରହମାନ୍ ମଧ୍ୟ କ୍ୟାନ୍ସରରେ ପୀଡ଼ିତ ଥିଲେ । ଏହା ବ୍ୟତୀତ ସେ ଡିମେନ୍ସିଆରେ ମଧ୍ୟ ପୀଡ଼ିତ ଥିଲେ । ଅବସ୍ଥା ଖରାପ ହେବାକୁ ତାଙ୍କୁ ଢାକାର ସିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେ ଦେଶ ପକ୍ଷରୁ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ହାସଲ କରିପାରି ନଥିଲେ । ମାତ୍ର ଦେଶର ଐତିହାସିକ ପ୍ରଥମ ଟିମ୍ର ସଦସ୍ୟ ଥିଲେ ଏବଂ ୧୯୮୬ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିଥିଲେ ।