ବେଙ୍ଗାଲୁରୁ : ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଶୁକ୍ରବାର ଅପରାହ୍ନ ୧୨ଟା ୧୦ ମିନିଟ୍ରେ ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍-୧ ଲଞ୍ଚିଂର କାଉଣ୍ଟ୍ଡାଉନ୍ ଆରମ୍ଭ କରିଛି । ଆଦିତ୍ୟ ଏଲ୍-୧ ଆସନ୍ତାକାଲି (ସେପ୍ଟେମ୍ବର ୨) ପୂର୍ବାହ୍ନ ୧୧ଟା ୫୦ ମିନିଟ୍ରେ ଶ୍ରୀହରିକୋଟାର ସତୀଶ ଧାୱନ୍ ମହାକାଶ ଗବେଷଣା କେନ୍ଦ୍ରରୁ ପିଏସ୍ଏଲ୍ଭି ଏକ୍ସଏଲ୍ ରକେଟ୍ ଜରିଆରେ ଲଞ୍ଚ୍ କରାଯିବ । ମିଶନ୍ର ଳଞ୍ଚିଂ ପୂର୍ବରୁ ଇସ୍ରୋ ପ୍ରମୁଖ ଏସ୍. ସୋମନାଥ ଶୁକ୍ରବାର ଆନ୍ଧ୍ରପ୍ରଦେଶର ଚେଙ୍ଗଲମ୍ମା ପରମେଶ୍ୱରୀ ମନ୍ଦିରରେ ପହଞ୍ଚି ସେଠାରେ ମିଶନ୍ର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି ।
ଏହା ପୂର୍ବରୁ ଅଗଷ୍ଟ ୨୮ ତାରିଖରେ ସୋମନାଥ ତାମିଲନାଡ଼ୁର ସୁଲ୍ଲୁରପେଟାରେ ଶ୍ରୀ ଚେଙ୍ଗଲମ୍ମା ପରମେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେ କହିଛନ୍ତି, କୌଣସି ମିଶନ୍ର ଳଞ୍ଚିଂ ପୂର୍ବରୁ ଇସ୍ରୋ ବୈଜ୍ଞାନିକ ଏହି ମନ୍ଦିର ଆସିଥାନ୍ତି । ଏହି ପରମ୍ପରା ଗତ ୧୫ ବର୍ଷ ଧରି ଚାଲିଆସୁଛି ।
ଅଗଷ୍ଟ ୩୦ରେ ଇସ୍ରୋ ପ୍ରମୁଖ କହିଥିଲେ, ଆଦିତ୍ୟ ଏଲ୍-୧ ଲଞ୍ଚିଂର ସମସ୍ତ ପ୍ରସ୍ତୁତି ପୂରା ହୋଇଛି । ରକେଟ୍ ଏବଂ ସାଟେଲାଇନ୍ ପ୍ରସ୍ତୁତ ରହିଛି । ଲଞ୍ଚିଂ ପାଇଁ ଆମେ ରିହର୍ସଲ୍ ମଧ୍ୟ କରିଛୁ । ମିଶନ୍କୁ ସଠିକ୍ ବୃତ୍ତରେ ପହଞ୍ଚିବାକୁ ୧୨୫ ଦିନ ଲାଗିବ । ସେହିପରି ହ୍ୱିକଲ୍ର ଇଣ୍ଟରନାଲ୍ ଚେକ୍ ପୂରା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଥିଲା ।
ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ଲଙ୍ଗ୍ରେଞ୍ଜ୍ ପଏଣ୍ଟ-୧ ଅର୍ଥାତ୍ ଏଲ୍-୧ ପଏଣ୍ଟ୍ରେ ପହଞ୍ଚିବାକୁ ଏହାକୁ ପ୍ରାୟ ୪ ମାସ ଲାଗିବ । ଆଦିତ୍ୟ ସ୍ପେସ୍କ୍ରାଫ୍ଟ ଏଲ୍-୧ ପଏଣ୍ଟ୍ର ଚାରିପଟେ ଘୂରି ସୂର୍ଯ୍ୟପୃଷ୍ଠରେ ସୃଷ୍ଟ ଝଡ଼ ଅନୁଧ୍ୟାନ କରିବ । ଏହା ବ୍ୟତୀତ ମ୍ୟାଗ୍ନେଟିକ୍ ଫିଲ୍ମ ଏବଂ ସୋଲାର୍ ୱିଣ୍ଡ୍ ପରି ପଦାର୍ଥର ଅଧ୍ୟୟନ କରିବ । ପ୍ରୟୋଗ ପାଇଁ ଆଦିତ୍ୟରେ ୭ ପେଲୋଡ୍ ଲଗାଯାଇଛି ।