ନୂଆଦିଲ୍ଲୀ : ପରଲୋକରେ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ଶିବା କୁମାର ସୁବ୍ରମଣ୍ୟମ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଶିବ କୁମାର ଅନେକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ଶେଷ ଥର ପାଇଁ ସେ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ସାନ୍ୟା ମଲହୋତ୍ରାଙ୍କ ଜେଜେବାପା ଭୂମିକାରେ ନଜର ଆସିଥିଲେ । ଶିବ କୁମାର ୧୯୮୯ରେ ଆସିଥିବା ଫିଲ୍ମ ‘ପରିନ୍ଦା’ ପାଇଁ ବିଧୁ ବିନୋଦ ଚୋପ୍ରାଙ୍କ ସହ ମିଳିତ ଭାବେ ସ୍କ୍ରିନ ରାଇଟିଂ କରିଥିଲେ । ଏହି ଫିଲ୍ମ ପାଇଁ ସେ ସେହି ବର୍ଷ ସର୍ବଶ୍ରେଷ୍ଠ ପଟକଥାର ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
ଏହାପରେ ସୁଧୀର ମିଶ୍ରାଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ହଜାରୋ ଖ୍ୱାହିସ୍ ଏସି’ ପାଇଁ ଲେଖିଥିଲେ । ଏହି ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା । ଶିବ କୁମାର ଏହା ବ୍ୟତୀତ ‘ହିଚକୀ’, ‘ଟୁ ଷ୍ଟେଟସ୍’, ‘ତିନ ପତ୍ତି’ ଏବଂ ‘ପ୍ରହାର’ ପରି ଫିଲ୍ମରେ କାମ କରିଥିଲେ । ତେବେ ‘ତୁ ମେରା ସଣ୍ଡେ’ ନାମକ ଫିଲ୍ମ ପାଇଁ ତାଙ୍କୁ ବେଶ୍ ପ୍ରଶଂସା ମିଳିଥିଲା । ଫିଲ୍ମ ଛଡ଼ା ସେ ବହୁ ପ୍ରସିଦ୍ଧ ଟେଲିଭିଜନ ଶୋ’ରେ ନଜର ଆସିଛନ୍ତି ।
ସେ ‘ମୁକ୍ତି ବନ୍ଧନ’ ଶୋ’ ଜରିଆରେ ବେଶ୍ ଲୋକପ୍ରିୟତା ଅଜର୍ନ କରିଥିଲେ । ତେବେ ଶିବ କୁମାରଙ୍କ ଦେହାନ୍ତ ଖବରକୁ ନେଇ ସିନେ ଇଣ୍ଡଷ୍ଟ୍ରୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସ୍ୱାନନ୍ଦ କିରକିରେ, ହଂସଲ ମେହତା ପରି ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର ସକାଳ ୧୧ଟାରେ ମୋକ୍ଷଧାମ ହିନ୍ଦୁ ଶ୍ମଶାନଭୂମିରେ ହେବ । ସୂଚନା ଅନୁଯାୟୀ ଦୁଇ ମାସ ପୂର୍ବରୁ ଶିବ କୁମାରଙ୍କ ପୁଅଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ପୁଅ ଜହାନ ଦୀର୍ଘ ଦିନ ଧରି ବ୍ରେନ୍ ଟୁ୍ୟମରରେ ଆକ୍ରାନ୍ତ ଥିଲେ ।