32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପରଲୋକରେ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ‘ଜୁନିୟର୍‌ ମେହ୍‌ମୁଦ୍‌’

ପରଲୋକରେ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ‘ଜୁନିୟର୍‌ ମେହ୍‌ମୁଦ୍‌’

ମୁମ୍ବାଇ: ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିବା ବର୍ଷୀୟାନ୍‌ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ‘ଜୁନିୟର୍‌ ମେହ୍‌ମୁଦ୍‌’ଙ୍କର ଗୁରୁବାର ରାତି ପ୍ରାୟ ୨ଟା ବେଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିଲେ। କିନ୍ତୁ, ଡାକ୍ତରୀ ପରୀକ୍ଷାଦ୍ବାରା ଏକଥା ଜଣାପଡ଼ିବା ଆଗରୁ କର୍କଟ ରୋଗ ତାଙ୍କ ଯକୃତ୍‌ ଓ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିସାରିଥିଲା। ତାଙ୍କ ଅନ୍ତଃନଳୀରେ ଗୋଟାଏ ‘ଟ୍ୟୁମର୍‌’ ମଧ୍ୟ ବାହାରିଥିଲା। ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କର୍କଟ ରୋଗର ଚିକିତ୍ସା ବେଳେ ସେ କାମଳ ବା ‘ଜଣ୍ଡିସ୍‌’ ରୋଗରେ ବି ଆକ୍ରାନ୍ତ ହୋଇଗଲେ। ‘ଜୁନିୟର୍‌ ମେହ୍‌ମୁଦ୍‌’ ନାମରେ ପରିଚିତ ଅଭିନେତା ନଇମ୍‌ ସୟେଦ୍‌ଙ୍କର ଜଣେ ଘନିଷ୍ଠ ବନ୍ଧୁ ସଲାମ୍ କାଜି ପୂର୍ବରୁ କହିଥିଲେ, ସେ ୨ ମାସ ହେବ ଅସୁସ୍ଥ ଥିଲେ। ଆମର ଧାରଣା ହୋଇଥିଲା ସମସ୍ୟା ସାମାନ୍ୟ ହୋଇଥିବ। କିନ୍ତୁ, ହଠାତ୍‌ ତାଙ୍କର ଓଜନ ହ୍ରାସ ପାଇଲା। ଡାକ୍ତରୀ ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ସେ କର୍କଟ ରୋଗରେ ପୀଡ଼ିତ। ସୂଚନା ଅନୁସାରେ, ଶୁକ୍ରବାର ନମାଜପାଠ ପରେ ତାଙ୍କ ମରଶରୀରକୁ ଜୁହୁ କବରସ୍ଥାନରେ କବର ଦିଆଯିବ।

ସୂଚନାଯୋଗ୍ୟ, ୧୯୫୬ ମସିହା ନଭେମ୍ବର ୧୫ରେ ଜନ୍ମିତ ‘ଜୁନିଅର୍‌ ମେହ୍‌ମୁଦ୍‌’ଙ୍କ ଅସଲ ନାଁ ହେଉଛି ନଇମ୍‌ ସୟେଦ୍‌। ପ୍ରଥମେ ସେ ଜଣେ ଶିଶୁ କଳାକାର ଭାବେ ୧୯୬୬ରେ ‘ମୋହବତ୍‌ ଜିନ୍ଦଗୀ ହୈ’ରୁ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତା’ପରେ ୧୯୬୭ରେ ମୁକ୍ତିଲାଭ କରିଥିବା ସଞ୍ଜୀବ କୁମାର, ବଳରାଜ ସାହାଣୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଅଭିନିତ ଚଳଚ୍ଚିତ୍ର ‘ନୌନିହାଲ୍‌’ ଏବଂ ୧୯୬୮ରେ ‘ସୁହାଗ୍‌ ରାତ୍‌’ ଚଳଚ୍ଚିତ୍ରରେ ଅଭିନେତା ମେହ୍‌ମୁଦ୍‌ଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ। ଏଥିପାଇଁ ମେହ୍‌ମୁଦ୍‌ ତାଙ୍କର ନାଁ ଦେଇଥିଲେ ‘ଜୁନିୟର୍‌ ମେହ୍‌ମୁଦ୍‌’। ସେ ‘ହାତୀ ମେରା ସାଥୀ’, ‘ମେରା ନାମ୍ ଜୋକର୍‌’, ‘ବ୍ରହ୍ମଚାରୀ, ‘କଟିପତଙ୍ଗ’, ‘ହରେ ରାମା ହରେ କ୍ରିଷ୍ଣା’, ‘ଗୀତ୍‌ ଗାତା ଚଲ୍‌’, ‘ବଚ୍‌ପନ୍‌’, ‘ଇମାନ୍‌ଦାର୍‌’, ‘ବାପ୍‌ ନମ୍ବରୀ ବେଟା ଦଶ୍‌ ନମ୍ବରୀ’ ଏବଂ ‘ଆନ୍‌ ମିଲୋ ସଜ୍‌ନା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ସମେତ ପ୍ରାୟ ୨୫୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking