ନୂଆଦିଲ୍ଲୀ : ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁରତର ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୧ ଏପ୍ରିଲରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହି ମାମଲାର ଶୁଣାଣି ସରିବା ପରେ ଅଭିଯୁକ୍ତ ଜଣକ ବିଚାରପତିଙ୍କ ଉପରକୁ ଚପଲ ଫୋପାଡି ଥିଲା । ଚପଲଟି ବିଚାରପତିଙ୍କ ଉପରେ ନବାଜି ଉଇଟ୍ନେସ୍ ବକ୍ସ ନିକଟରେ ପଡିଥିଲା । ସୂଚନା ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ମଧ୍ୟପ୍ରଦେଶର ୨୭ ବର୍ଷୀୟ ସୁଜିତ୍ ସାକେତ୍ । ଗତ ଏପ୍ରିଲ ୩୦ ରେ ସୁଜିତଙ୍କ ନାମରେ ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅ । ନାବାଳିକା ଜଣକୁ ଏକୁଟିଆ ଦେଖି ଅଭିଯୁକ୍ତ ଜଣକ ତାକୁ ଚକୋଲେଟ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା । ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା । ପରେ ତାକୁ ବୀଭତ୍ସ ଭାବେ ହତ୍ୟା କରିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଶୁଣାଣି ବେଳେ ୫୩ଟି ଦସ୍ତାବିଜ ବିଶିଷ୍ଟ ପ୍ରମାଣ ଦିଆଯାଇଥିଲା । ୨୬ ଜଣ ସାକ୍ଷୀ ମଧ୍ୟ ସାକ୍ଷ୍ୟପ୍ରଦାନ କରିଥିଲେ । ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ପକ୍ସୋ କୋର୍ଟ ବିଚାରପତି ପିଏସ କାଲା ରାୟ ଶୁଣାଇଥିଲେ । ଅଭିଯୁକ୍ତର ନାଚୁରାଲ ଲାଇଫକୁ ଅଗ୍ରାଧିକାର ଦେଇ କୋର୍ଟ କେବଳ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଦୋଷୀ ସାବ୍ୟସ୍ତ ପରେ ଅଭିଯୁକ୍ତ ଜଣକ ବିଚାରପିତି ପିଏସ କାଲାଙ୍କ ଉପରକୁ ଚପଲ ଫୋପାଡ଼ିଥିଲେ । ତାହା ତାଙ୍କ ଦେହରେ ବାଜି ନଥିଲା । ସୌଭାଗ୍ୟବଶତଃ ଚପଲଟି ଉଇଟ୍ନେସ୍ ବକ୍ସରେ ବାଜିଥିଲା ।