ଭୁବନେଶ୍ୱର: ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପାଇଁ ବାତିଲ ହୋଇଛି ଆକାଉଣ୍ଟାଣ୍ଟ ପରୀକ୍ଷା । ମିଳିଥିବା ସୂଚନା ମୁତାବକ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍ଏସ୍ସି) ଦ୍ୱାରା ଗତକାଲି ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା । ଏଥିରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା । ଆଉ ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଯାଇଥିଲେ । ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ଥିଲା ତାହା ପରୀକ୍ଷାର୍ଥୀ ବୁଝିପାରି ନ ଥିଲେ । ପ୍ରଶ୍ନପତ୍ରର ଶବ୍ଦଗୁଡ଼ିକ ଠିକ୍ ନ ଥିଲା । ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା ।
କେଉଁଠି ‘ପାଖରେ’ ବଦଳରେ ‘ପାଖର’ ଲେଖାଯାଇଥିଲା ତ ଆଉ କେଉଁଠି ଟଙ୍କା’ ବଦଳରେ ‘ଟଙ୍କାର’ । ଏଭଳି ପ୍ରଶ୍ନ ଦେଖି ହଲ୍ ଭିତରେ ପରୀକ୍ଷାର୍ଥୀ ବାଉଳା ହୋଇ ପରସ୍ପରକୁ ଚାହିଥିଲେ । ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ବି ସମାଧାନ କରିପାରି ନ ଥିଲେ । ବରଂ ଉପରିସ୍ଥ ଅଧିକାରୀମାନଙ୍କୁ ଏବିଷୟରେ ଜଣାଯିବ କହି ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ । ଯାହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ଶିକ୍ଷାବିତ୍ମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେବେ ଏହାକୁ ନେଇ ଓଏସଏସସି ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷା ବାତିଲ ହୋଇଛି ।
ପୁଣିଥରେ ପରୀକ୍ଷା କରାଯିବ ଓ ତାରିଖ ଖୁବ ଶୀଘ୍ର ପ୍ରକାଶ ପାଇବ । ମିଳିଥିବା ସୂଚନା ଅନୁସାରେ ଓଏସଏସସି ପକ୍ଷରୁ ରବିବାର ଅନୁଷ୍ଠିତ ଆକାଉଣ୍ଟାଣ୍ଟ(ହିସାବ ନୀରିକ୍ଷକ) ପଦ ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନପତ୍ରକୁ ନେଇ ନାନା ସମସ୍ୟା ସୃଷ୍ଟି ହୋଇଥିଲା । ଗୁଗଲ୍ ଟ୍ରାନ୍ସଲେଟର ଜରିଆରେ ଇଂରାଜୀ ପ୍ରଶ୍ନଗୁଡ଼ିକର ଅନୁବାଦ କରାଯାଇ ଓଡ଼ିଆରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବାବେଳେ ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା ଓଡ଼ିଆ ଶବ୍ଦଗୁଡ଼ିକ ପରୀକ୍ଷାର୍ôଥଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ଓଡ଼ିଆ ତଥା ପ୍ରାଦେଶିକ ଭାଷାକୁ ରାଜ୍ୟବାସୀ ଗୁରୁତ୍ୱ ଦେବେ । ଓଡ଼ିଆରେ ସମସ୍ତ ଶିଳ୍ପ, ଶିକ୍ଷା, ବୈଷୟିକ ପ୍ରତିଷ୍ଠାନର ନାମ ଲେଖାଯିବ । ଏପରିକି ଓଡ଼ିଆରେ ସମସ୍ତ ସରକାରୀ ଚିଠି ଜାରି କରିବା ପାଇଁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି ।
ନିକଟରେ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡିକ ଆଞ୍ଚଳିକ ଭାଷାରେ ମେଡିକାଲ ଓ ଇଂଜିନିୟରିଂ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷା କଲେଣି । କିନ୍ତୁ ବିଡମ୍ବନାର ବିଷୟ ଯେ, ରାଜ୍ୟ ସରକାରଙ୍କ ଦକ୍ଷ ଓ ସମର୍ଥ ପରୀକ୍ଷା ପରିଚାଳନା ସଂସ୍ଥା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି)କିନ୍ତୁ ଓଡିଆ ପ୍ରଶ୍ନପତ୍ର ତିଆରି କରିବାରେ ସମ୍ପୁର୍ଣ୍ଣ ଅସମର୍ଥ । ଯାହାର ପ୍ରମାଣ ରବିବାର ଆକାଉଣ୍ଟାର୍ଟ ପରୀକ୍ଷା ଲାଗି ତିଆରି ହୋଇଥିବା ପ୍ରଶ୍ନପତ୍ରରୁ ସମ୍ପୁର୍ଣ୍ଣ ବାର ିହୋଇପଡୁଛି । ୬୫ ଗୋଟି ଆକାଉଣ୍ଟାଣ୍ଟ ପଦବୀ ପୂରଣ ଲାଗି ଓଏସଏସସିକୁ ଦାୟିତ୍ୱ ଦିଆଯାଇଥିଲା । ଏହିକ୍ରମରେ ରବିବାର ଓଏସଏସସି ପକ୍ଷରୁ ପ୍ରିଲିମ ପରୀକ୍ଷା ହୋଇଥିଲା । କିନ୍ତୁ ଓଡିଆ ଭାଷାରେ ଏମତି ପ୍ରଶ୍ନ ପଡିଥିଲା ଯେ, ଓଡିଶା ପିଲା ମୁଣ୍ଡରେ ହାତେଦଇ ବସିଲେ । ପ୍ରତିପ୍ରଶ୍ନ ଭୁଲ ପଡିଥିଲା ।
ପ୍ରଶ୍ନପତ୍ରରେ ଗୁଗଲ୍ ଟ୍ରାନ୍ସଲେଟର ଜରିଆରେ ଇଂରାଜୀ ପ୍ରଶ୍ନଗୁଡ଼ିକୁ ଅନୁବାଦ କରାଯାଇ ସିଧାସଳଖ ପ୍ରଶ୍ନପତ୍ର ଛପା ଯାଇଥିବା ପିଲାମାନେ ଅଭିଯୋଗ କରିଛନ୍ତି । ଯାହାକି ସେମାନଙ୍କୁ ବୁଝିବା ଏପରିକି ପଢ଼ିବାରେ ନାନା ସମସ୍ୟା ସୃଷ୍ଟି କରିଛି । ଓଏସଏସସି ଭଳି ସଂସ୍ଥା ଯଦି ଏପରି ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛନ୍ତି ତେବେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକଠାରୁ ଆମେ କଣ ଆଶା କରିବା ବୋଲି ଆଶାୟୀମାନେ ମତ ପୋଷଣ କରିଛନ୍ତି । ଭାଷାପ୍ରେମୀମାନେ କହିଛନ୍ତି ଓଡ଼ିଆ ଭାଷାକୁ ରାଜ୍ୟର ସରକାରୀ ବିଭାଗ ହତାଦର କରିବା ଦୁଃଖ ଓ ପରିତାପର ବିଷୟ । ଗୋଟିଏ ପଟେ ଭାଷାକୁ ନେଇ ବ୍ୟାପକ ଆନ୍ଦୋଳନ ହେବା ସହ ସରକାର ଭାଷାକୁ ଅସମ୍ମାନ ଲାଗି କଡାଆଇନ କରିଛନ୍ତି କିନ୍ତୁ ଅନ୍ୟପେଟ ଖୋଦ ସରକାରୀ ସଂସ୍ଥା ଏହାକୁ ଖୋଲାଖୋଲି ଉଲଂଘନ କରୁଛନ୍ତି । ଓଏସଏସସି ଯେଉଁ ଭୁଲ କରିଛି ତାକୁ କଦାପି ସହ୍ୟ କରାଯିବନି ବୋଲି ଭାଷାପ୍ରେମୀମାନେ କହିବା ସହିତ ତୁରନ୍ତ ସରକାର ଏହାର ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସର୍ବସାଧାରଣରେ ଦାବି ହୋଇଛି ।