ଜୟପୁର: ରାଜସ୍ଥାନ ଜୟପୁର ଦୁଦୁ ନିକଟରେ ଜାତୀୟ ରାଜପଥ-୮ ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ଚକ ଫାଟିଯିବା କାରଣରୁ ଏହା ଏକ କାର ଉପରେ ଓଲଟି ପଡିଥିଲା । ଏଥିରେ ୩ ଶିଶୁଙ୍କ ସମେତ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ୟାଙ୍କର ତଳେ ଚାପି ହୋଇରହିଥିବା କାରରୁ ମୃତଦେହ ଉଦ୍ଧାର କରିଥିଲେ । ମୃତଦେହକୁ ସ୍ଥାନୀୟ ରୟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସମସ୍ତେ ନିକଟବର୍ତ୍ତୀ ଗ୍ରାମର ଓ ସେମାନେ ସମ୍ପର୍କୀୟ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ସ୍ଥାନୀୟ ଏଏସପି ଦିନେଶ ଶର୍ମାଙ୍କ ସୂଚନା ଅନୁସାରେ, ଜାତୀୟ ରାଜପଥ ୮ରେ ରାମନଗର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ତେଲ ଭର୍ତ୍ତି ଟ୍ୟାଙ୍କରର ଚକ ଫାଟିଯିବା ପରେ ଏହା ଅନିୟନ୍ତ୍ରିତ ହୋଇ ଏକ କାର ଉପରେ ଓଲିଟି ପଡିଥିଲା । କାରଟି ସମ୍ପୂର୍ଣ୍ଣ ଟ୍ୟାଙ୍କର ତଳେ ଚାପି ହୋଇଯାଇଥିଲା । କାର ସହ ଏକ ବାଇକ ମଧ୍ୟ ଟାଙ୍କର ତଳେ ଚାପି ହୋଇ ରହିଥିଲା । ଏଥିରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରେ ୪ ପୁରୁଷ, ୨ ମହିଳା ଓ ୩ ଶିଶୁ ରହିଛନ୍ତି । ସମସ୍ତ ମୃତକ ନିକଟବର୍ତ୍ତୀ ଫାଗି ଗ୍ରାମର ବାସିନ୍ଦା ଓ ସେମାନେ ସମ୍ପର୍କୀୟ ମଧ୍ୟ ହୋଇଥିବା ପୋଲିସ ସ୍ପଷ୍ଟ କରିଛି ।
ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଓ ଫାଏର ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ସମସ୍ତ ମୃତଦେହ ଟ୍ୟାଙ୍କର ତଳୁ ଉଦ୍ଧାର କରାଯାଇ ରୟାଲ ହସ୍ପିଟାଲକୁ ପଠାଯାଇଛି । କେତେ ଜଣ ଆହତ ହୋଇଛନ୍ତି, ସେନେଇ ପୋଲିସ କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇନି । ଦୁର୍ଘଟଣା ପରେ ରାଜପଥରେ ଗାଡ଼ି ଚଳାଚଳ ସାମୟିକ ଭାବେ ପ୍ରଭାବିତ ହୋଇଥିଲା । ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ କ୍ରେନ୍ ସାହାଯ୍ୟରେ ରାସ୍ତାରୁ ହଟାଇଥିଲା । କିଛି ସମୟ ବ୍ୟବଧାନରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ନିକଟରେ ଥିବା ସିସିଟିଭି ଓ ଅନ୍ୟ ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପୋଲିସ ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିଛି।