29.4 C
Bhubaneswar
Saturday, May 4, 2024
Homeଓଡିଶାଅନ୍ୟକୁ ବଞ୍ଚାଇବାକୁ ଗଲାବେଳେ ଚାଲିଗଲା ଜୀବନ

ଅନ୍ୟକୁ ବଞ୍ଚାଇବାକୁ ଗଲାବେଳେ ଚାଲିଗଲା ଜୀବନ

ଯାଜପୁର: ଦୁର୍ଘଟଣା ଦେଖି ଆମ୍ବୁଲାନ୍ସକୁ ଫୋନ କରୁଥିବା ବେଳେ ଚଢିଗଲା ସିମେଣ୍ଟ ବୋଝେଇ ଟ୍ରକ । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ରେ ଦେଖିବାକୁ ମିଳିଛି । ଏହି ଦୁର୍ଘଟଣା ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଘୁଆଛକରେ ଘଟିଥିବାର ଜଣାଯାଇଛି । ଦୁଇଟି ଟ୍ରକ୍ ଦୁଇଟି ବାଇକକୁ ଧକ୍କାଦେବା ଫଳରେ ୨ ଜଣ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ବେଳେ ସୁକିନ୍ଦାର ବନମାଳୀ ଦ୍ୱିବେଦୀଙ୍କ ପୁଅ ଚନ୍ଦ୍ରଶେଖର ବାଇକ୍ ଯୋଗେ ଚଣ୍ଡିଖୋଲରୁ ଡୁବୁରି ଅଭିମୁଖେ ଯାଉଥିବା ବେଳେ ବାଘୁଆଛକ ନିକଟରେ ସାମନାରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା । ସେହି ସମୟରେ ଜେନାପୁର ଥାନା କବାଟବନ୍ଧ ଗ୍ରାମର କାଙ୍ଗାଳି ବେହେରାଙ୍କ ପୁଅ ଅଜୟ ଓରଫ ଟିକିନା ବାଇକ୍ ଯୋଗେ ଚଣ୍ଡିଖୋଲ ଆଡ଼େ ଯାଉଥିଲେ । ଦୁର୍ଘଟଣା ଦେଖି ବାଇକରୁ ଓହ୍ଲାଇ ଆମ୍ବୁଲାନ୍ସକୁ ଫୋନ କରୁଥିବା ବେଳେ ଚଣ୍ଡିଖୋଲପଟୁ ଡୁବୁରି ଆଡେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଟିକିନାଙ୍କର ମୃତ୍ୟୁ ଘଟିଥିଲା । ଚନ୍ଦ୍ରଶେଖରଙ୍କର ସମ୍ପର୍କୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ କଳିଙ୍ଗନଗରସ୍ଥିତ ଟାଟା ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚନ୍ଦ୍ରଶେଖରଙ୍କର ଶବକୁ ବ୍ୟବଛେଦ ପାଇଁ ଦାନଗଦୀ ମେଡିକାଲ ନିଆଯାଇଥିବା ବେଳେ ଟିକିନାଙ୍କ ଶବକୁ ବ୍ୟବଛେଦ ପାଇଁ ବଡଚଣା ପଠାଯାଇଥିବାର ଜଣାଯାଇଛି । ଜେନାପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ ଓ ସିମେଣ୍ଟ ବୋଝେଇ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବାର ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking