ରମ୍ଭା : ରମ୍ଭା ଥାନା ଅଞ୍ଚଳର ଆର.ବିଞ୍ଛଣାପଲ୍ଲୀ ଗ୍ରାମର ଧର୍ମେନ୍ଦ୍ର ବେହେରା ରମ୍ଭା ଲକ୍ଷ୍ମୀପୁର ସାହିର ସୁଜିତା ବେହେରା(୨୨) ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହକୁ ଦୁଇ ପରିବାର ସ୍ୱୀକାର ବି କରିଥିଲେ । ଯୌତୁକ ବାବଦକୁ ସୁଜିତାଙ୍କ ପରିବାର ପକ୍ଷରୁ ଲକ୍ଷେ ଟଙ୍କା ସହ ଘରୋଇ ଆସବାବପତ୍ର ଦିଆଯାଇଥିଲା । ବିବାହର ମାସେ ନପୁରୁଣୁ ବୋହୂ ସୁଜିତାଙ୍କ ଉପରେ ଶାଶୁ ଘର ପକ୍ଷରୁ ଯୌତୁକ ନିର୍ଯାତନା ଆରମ୍ଭ ହୋଇଥିଲା । ପ୍ରତିଦିନ ସୁଜିତାଙ୍କୁ ସ୍ୱାମୀ ସମେତ ଶ୍ୱଶୁର ଓ ତାଙ୍କ ଦୁଇ ଦିଅର ଶାରିରିକ ,ମାନସିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।
ଗର୍ଭ ନଷ୍ଟ କରିବାକୁ ବି ସୁଜିତାଙ୍କୁ ନିର୍ଯ୍ୟାତନା ଦେଇ ବାଧ୍ୟ କରୁଥିଲେ । ବୋହୂ ଜଣଙ୍କ ଏହାକୁ ସ୍ୱୀକାର କରିନଥିଲେ । ନିଜ ଭାଇଙ୍କ ଆଶ୍ରୟ ନେଇ ଆର.ବିଞ୍ଛଣାପଲ୍ଲୀ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ ଗର୍ଭମାସ ସମ୍ବନ୍ଧରେ ସୂଚନା ଦେବା ପାଇଁ । ସ୍ୱାମୀ ଧର୍ମେନ୍ଦ୍ରଙ୍କ ସମେତ ଶ୍ୱଶୁର ଚନ୍ଦ୍ର ଶେଖର, ଶାଶୁ ତରୁଣା, ଦୁଇ ଦିଅର ଦୁଷ୍ମନ୍ତ ଓ ପବିତ୍ର ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ସୁଜିତା ଓ ତାଙ୍କ ଭାଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି କେନ୍ଦ୍ରର ଆଶାଦିଦିଙ୍କ ସାମ୍ନାରେ ଏଭଳି ଘଟଣା ଘଟିଥିଲା । ସ୍ୱଭାଗ୍ୟବଶତଃ ଭାଇଙ୍କ ସହାୟତାରେ ମହିଳା ଜଣକ ସେଠାରୁ ଖସି ଆସି ଆଇନର ସହାୟତା ନେଇଥିଲେ । ସୁଜିତାଙ୍କ ଅଭିଯୋଗ କ୍ରମେ ରମ୍ଭା ଥାନାରେ ମାମଲା ରୁଜୁ ହୋଇଛି । ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ସୁଜିତା ପୁଲିସ୍ ପ୍ରଶାସନକୁ ଅନୁରୋଧ କରିଛନ୍ତି ।