ଲକ୍ଷ୍ନୌ : ଏକ ଅପରାଧିକ ମାମଲାରେ ଅଦାଲତଙ୍କ ଦ୍ୱାରା ଦୋଷୀସାବ୍ୟସ୍ତ ହେବାପରେ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଅବଦୁଲ୍ଲା ଆଜମ ଖାନ୍ ବିଧାୟକ ପଦ ହରାଇଛନ୍ତି । ସୂଚନାଯୋଗ୍ୟ ଅବଦୁଲ୍ଲା ହେଉଛନ୍ତି ସମାଽାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍ଙ୍କ ପୁତ୍ର । ଅବଦୁଲ୍ଲା ବର୍ତ୍ତମାନ ଉତ୍ତରପ୍ରଦେଶର ସୁଆର୍ ଆସନରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ୨୦୦୮ ଜାନୁଆରୀ ୨୯ରେ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରୀ ଅଧିକାରୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବାରୁ ପିତା-ପୁତ୍ର ଯୋଡିଙ୍କୁ ଗିରଫ କରାଯାଇଥିଲା । ଗତ ସୋମବାର ମୋରାଦାବାଦସ୍ଥିତ ଏକ ଅଦାଲତ ଏହି ମାମଲାରେ ଉଭୟଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ଆଜମ ଖାନ୍ ବର୍ତ୍ତମାନ ରାମପୁର ଆସନରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ପୂର୍ବରୁ ୨୦୨୦ରେ ଆହ୍ଲାବାଦ ହାଇକୋର୍ଟ ଅବଦୁଲ୍ଲାଙ୍କ ବିଧାୟକ ପଦକୁ ରଦ୍ଦ କରିଥିଲେ । ୨୦୧୭ରେ ବିଧାନସଭା ନିର୍ବାଚନ ଲଢୁଥିବାବେଳେ ତାଙ୍କୁ ୨୫ ବର୍ଷ ବୟସ ହୋଇନଥିବାରୁ ତାଙ୍କର ବିଧାୟକ ପଦକୁ ହାଇକୋର୍ଟ ରଦ୍ଦ କରିଥିଲେ । ତେବେ ୨୦୨୨ ନିର୍ବାଚନରେ ସେ ପୁଣି ସୁଆର ଆସନରୁ ବିଜୟୀ ହୋଇଥିଲେ । ଅପରପକ୍ଷରେ ଘୃଣ୍ୟ ଭାଷଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଆଜମ ଖାନ୍ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇସାରିଛି । ତାଙ୍କର ବିଧାୟକ ପଦ ମଧ୍ୟ ରଦ୍ଦ ହେବାର ଆଶଙ୍କା ରହିଛି ।