ଶିଲଂ : ମେଘାଳୟ ବିଧାନସଭାର ୬୦ ଆସନ ପାଇଁ ଚଳିତମାସ ୨୭ରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ବୁଧବାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ବିଜେପି ସଭାପତି ଜେପି ନଡ୍ଡାଙ୍କ ଦ୍ୱାରା ଉନ୍ମୋଚିତ ଏହି ଇସ୍ତାହାରରେ କୁହାଯାଇଛି, ଯଦି ବିଜେପି କ୍ଷମତାକୁ ଆସେ, ତାହାହେଲେ ମହିଳାଙ୍କ ପାଇଁ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯିବ । ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ଲାଗୁ, ସ୍ନାତକୋତ୍ତର ଡିଗ୍ରୀ ପର୍ଯ୍ୟନ୍ତ ଯୁବତୀଙ୍କୁ ମାଗଣା ଶିକ୍ଷା, କଲେଜ୍ ଟପ୍ପରଙ୍କୁ ମାଗଣା ସ୍କୁଟି, କନ୍ୟା ସନ୍ତାନ ଜନ୍ମ ହେଲେ ୫୦ ହଜାର ଟଙ୍କାର ବଣ୍ଡ୍, ପ୍ରତ୍ୟେକ ଯୋଗ୍ୟ ବିଧବା ଏବଂ ସିଙ୍ଗିଲ ମଦରଙ୍କୁ ବାର୍ଷିକ ୨୪ ହଜାର ଟଙ୍କାର ଭତ୍ତା, ଉଜ୍ଜ୍ୱଳା ଯୋଜନାରେ ପ୍ରତି ପରିବାରକୁ ୨ଟି ମାଗଣା ଗ୍ୟାସ ସିଲିଣ୍ଡର, ବରିଷ୍ଠ ନାଗରିକଙ୍କ ପେନ୍ସନ ୧୦୦୦ ଟଙ୍କାକୁ ବୃଦ୍ଧି ଭଳି ପ୍ରତିଶ୍ରୁତି ଦିଆଯାଇଛି ।