– ଆଲାସ୍କା ଆକାଶର ୪୦ ହଜାର ପୁଟ ଉପରେ ଉଡ଼ୁଥିଲା
ୱାଶିଂଟନ: ଆଲାସ୍କା ରାଜ୍ୟର ଆକାଶରେ ଉଡ଼ୁଥିବା ଏକ ସନ୍ଦିଗ୍ଧ ବସ୍ତୁକୁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଦେଶକ୍ରମେ ଆମେରିକାର ଫାଇଟର ଜେଟ୍ ଗୁଳିକରି ଖସାଇ ଦେଇଛି । ଶନିବାର ଆମେରିକା ପକ୍ଷରୁ ଏହାର ସୂଚନା ଦିଆଯାଇଛି । ହ୍ୱାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି, ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି । କିର୍ବି କହିଛନ୍ତି ଶୁକ୍ରବାର ଆକାଶରେ ଉଡ଼ୁଥିବା ଏହି ଅଜ୍ଞାତ ବସ୍ତୁର ଉଦ୍ଦେଶ୍ୟ ସ୍ପଷ୍ଟ ନଥିଲା । ଏହାର ଧ୍ୱଂସାବଶେଷ ଗତ ଶନିବାର ଦକ୍ଷିଣ କାରୋଲିନା ଉପକୂଳରେ ଖସାଇ ଦିଆଯାଇଥିବା ଚୀନ୍ ବେଲୁନ୍ ତୁଳନାରେ ବହୁ କମ୍ ଥିଲା ବୋଲି କିର୍ବି କହିଛନ୍ତି ।
ଏହି ଅଜ୍ଞାତ ବସ୍ତୁ ଆଲାସ୍କା ଆକାଶର ଉତ୍ତର ଉପକୂଳରେ ୪୦ ହଜାର ଫୁଟ ଉପରେ ଉତ୍ତର ଧ୍ରୁବ ଆଡ଼କୁ ଯାଉଥିବା ବେଳେ ଶୁକ୍ରବାର ଏହାକୁ ଗୁଳିକରି ଖସାଇ ଦିଆଯାଇଥିଲା । କିର୍ବି କହିଛନ୍ତି ଗୁରୁବାର ରାତିରେ ଏହି ଅଜ୍ଞାତ ବସ୍ତୁ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାପରେ ଆକାଶ ମାର୍ଗ ଉପରେ ନଜର ରଖିଥିବା ଅଧିକାରୀମାନେ ରାଷ୍ଟ୍ରପତି ବାଇଡେନ୍ଙ୍କୁ ଏହାର ସୂଚନା ଦେଇଥିଲେ । ସୂଚନା ପାଇବା ତୁରନ୍ତ ପରେ ସନ୍ଦିଗ୍ଧ ବସ୍ତୁକୁ ଗୁଳିକରି ଖସାଇ ଦେବା ନିମନ୍ତେ ବାଇଡେନ୍ ଫାଇଟର୍ ଜେଟ୍କୁ ଆଦେଶ ଦେଇଥିଲେ । ଆଦେଶ ପାଇବା ପରେ ଫାଇଟର୍ ଜେଟ୍ ବସ୍ତୁର ନିକଟରେ ପହଞ୍ଚି ଏଥିରେ କେହି ଉପସ୍ଥିତ ଅଛି କି ନାହିଁ, ତାହା ମୂଲ୍ୟାଙ୍କନ କରିଥିଲା । କେହି ନଥିବା ସ୍ପଷ୍ଟ ହେବାପରେ ତାକୁ ଗୁଳିକରି ଖସାଇ ଦିଆଯାଇଥିଲା ।