ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ କଙ୍ଗୋରେ ଦୁଇଦିନ ଧରି ଲାଗି ରହିଥିବା ବର୍ଷା କାରଣରୁ ଭୂସ୍ଖଳନ ହୋଇଛି । ଏହା ଫଳରେ ଏବେ ୧୭୬ ଜଣରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଥିବା କଥା ଜଣାପଡିଛି । ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଦକ୍ଷିଣ କମ୍ବୁ ଅଞ୍ଚଳ କାଲେହେ ରେ ମେ ୪ ତାରିଖରେ ଏକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ନଦୀକୁଳ ଅଞ୍ଚଳରେ ଥିବା ଗ୍ରାମଗୁଡିକ ବୁଡି ଯାଇଥିଲା । ଏହି ବଢି ପାଣିରେ ୧୧ ଜଣ ଛୋଟ ପିଲା ଭାସି ଯାଇଥିଲେ । ଏହାସହ ଘର ଦ୍ୱାରା ଭାଙ୍ଗିଯିବା ସହ ରାସ୍ତାଘାଟ ନଷ୍ଟ ହୋଇଯାଇଛି । ଫଳରେ ଲୋକମାନେ ଏବେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।
କମ୍ବୁ ଅଞ୍ଚଳର ରାଜ୍ୟପାଳ କହିଛନ୍ତି କି ତାଙ୍କ ପ୍ରଦେଶରେ ଅନେକ ଘର ବୁଡି ଯାଇଛି । ଏହାସହ ମେଡିକାଲ ଘରଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ବିଜୁଳି ଯୋଗାଣ ବନ୍ଦ ହୋଇଛି । ଏପର୍ଯ୍ୟନ୍ତ ଏହି ବନ୍ୟା ଓ ଭୂସ୍ଖଳନ ଫଳରେ ୧୭୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ସେପଟେ ସ୍ଥାନୀୟ ସମାଜସେବୀମାନେ କହିଛନ୍ତି କି ନାଳରୁ ୨୨୬ ଟି ଶବ ଉଦ୍ଧାର କରାଯାଇଛି ।