ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ଼ ଅନ୍ତର୍ଗତ ବୋରେଇ ଥାନା ଅଞ୍ଚଳର ଏକବାରୀ ଜଙ୍ଗଲ ମଧ୍ୟରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରେଇ ଥାନା ।
ଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଗତକାଲି ରାତିରେ ଧମତରୀ ଓ ଗାରିଆବନ୍ଦ ଜିଲ୍ଲା ରିଜର୍ଭ ପୁଲିସର ମିଳିତ ସର୍ଚ୍ଚ ଅପରେସନ୍ ହୋଇଥିଲା । ଏହାପରେ ବିଳମ୍ବିତ ରାତିରେ ଉଭୟ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିବା ଆଜି ସକାଳୁ ପୁଲିସକୁ ସୂଚନା ମିଳିଥିଲା । ନକ୍ସଲ ୟୁନିଫର୍ମ୍ରେ ମିଳିଥିବା ମୃତଦେହ ସହିତ ମାଓ ସାମଗ୍ରୀ ଓ କିଛି ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ପୁଲିସ ଜବତ କରିଥିବା ଜଣାପଡ଼ିଛି । ଖବରଲେଖାସୁଦ୍ଧା ମୃତ ନକ୍ସଲର ପରିଚୟ ମିଳିପାରି ନଥିବା ବେଳେ ମୃତଦେହକୁ ବୋରେଇ ଥାନାକୁ ଅଣା ଯାଇଛି । ଏହି ଘଟଣା ପରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ କଡ଼ାକଡ଼ି କରାଯାଇଛି ।