ନୂଆଦିଲ୍ଲୀ : ପଶ୍ଚିମ ଉତ୍ତର ପ୍ରଦେଶର ପ୍ରମୁଖ ମାର୍ଗଗୁଡ଼ିକରେ କାଉଡ଼ିଆଙ୍କୁ ଆକାଶରୁ ପୁଷ୍ପ ସ୍ୱାଗତ କରାଯିବ । ରାଜ୍ୟ ସରକାର ଅଗଷ୍ଟ ୯ ଏବଂ ୧୦ ତାରିଖରେ ସାତଟି ଜିଲ୍ଲାରେ ହେଲିକପ୍ଟରରୁ ପୁଷ୍ପ ବର୍ଷା ଯୋଜନା କରିଛନ୍ତି । ଏହି ଦୁଇ ଦିନିଆ ଆକାଶ ମାର୍ଗ କାର୍ଯ୍ୟକ୍ରମରେ ବାଗପତ,ସହାରନପୁର,ମୁଜାଫରନଗର,ମିରଟ,ଗାଜିଆବାଦ,ହାପୁର ଏବଂ ବୁଲନ୍ଦସହରକୁ ଅନ୍ତର୍ଭୁକ୍ତ କରାଯାଇଛି ।ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିସ୍ତୃତ କାର୍ଯ୍ୟସୂଚୀ ଅନୁସାରେ, ହେଲିକପ୍ଟର ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ପ୍ରାୟ ୮ଟାରେ ଲକ୍ଷ୍ନୌରୁ ବାଗପତ ଅଭିମୁଖେ ଯାତ୍ରା କରିବ । ବାଗପତ ଅଞ୍ଚଳରେ କାଉଡ଼ିଆଙ୍କ ଉପରେ ସକାଳ ୧୦.୩୦ ରୁ ୧୧.୧୫ ପର୍ଯ୍ୟନ୍ତ ଫୁଲ ପାଖୁଡା ବର୍ଷା କରାଯିବ । ଏହା ପରେ ହେଲିକପ୍ଟର ସାହାରନପୁର ଅଭିମୁଖେ ଉଡ଼ାଣ କରି ଶ୍ରଦ୍ଧାଳୁମାନଙ୍କ ଉପରେ ପୂର୍ବାହ୍ନ ୧୧.୪୫ ରୁ ୧୨.୪୫ ପର୍ଯ୍ୟନ୍ତ ପୁଷ୍ପବର୍ଷା କରି ସ୍ୱାଗତ କରିବ ।
ମୁଜାଫରନଗରରେ ଏହି କାର୍ଯ୍ୟକ୍ରମ ଅପରାହ୍ନ ୧.୩୦ ରୁ ୨.୧୫ ପର୍ଯ୍ୟନ୍ତ ଜାରି ରହିବ, ତା’ପରେ ମିରଟରେ ଅପରାହ୍ନ ୩.୪୫ ରୁ ୪.୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ। ପ୍ରଥମ ଦିନର ହେଲିକପ୍ଟରର ମୋଟ ଉଡ଼ାଣ ସମୟ ଛଅ ଘଣ୍ଟା ୧୦ ମିନିଟ୍ ହେବ।ଅଗଷ୍ଟ ୧୦ ତାରିଖରେ, ହେଲିକପ୍ଟରଟି ମିରଟରୁ ଉଡ଼ାଣ ଭରିବ ଏବଂ ଗାଜିଆବାଦର କାଉଡ଼ିଆଙ୍କ ଉପରେ ପ୍ରାୟ ପୂର୍ବାହ୍ନ ୮.୩୦ ରୁ ୯.୧୫ ପର୍ଯ୍ୟନ୍ତ ଫୁଲ ପାଖୁଡ଼ା ବର୍ଷା କରିବ। ଏହା ପରେ ହାପୁର ଅଭିମୁଖେ ଯାତ୍ରା କରି ପୂର୍ବାହ୍ନ ୯ଟା ୪୫ ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପୁଷ୍ପବର୍ଷା କରିବ। ତା’ପରେ ବୁଲନ୍ଦସହରରେ ପୂର୍ବାହ୍ନ ୧୧ ଟା ୧୫ ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ୱାଗତ କରିବ। କାର୍ଯ୍ୟକ୍ରମ ସମାପ୍ତ କରିବା ପରେ, ହେଲିକପ୍ଟରଟି ବୁଲନ୍ଦସହରରୁ ମଧ୍ୟାହ୍ନ ସାଢ଼େ ୧୨ଟା ରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବ।ଦ୍ୱିତୀୟ ଦିନର ମୋଟ ଉଡ଼ାଣ ସମୟ ତିନି ଘଣ୍ଟା ୪୫ ମିନିଟ୍ ହେବ। ଦୁଇ ଦିନିଆ ଆକାଶ ପୁଷ୍ପ ବର୍ଷା ଅଭିଯାନର ମୋଟ ଅବଧି ନଅ ଘଣ୍ଟା ୫୫ ମିନିଟ୍ ହେବ ବୋଲି ସରକାର କହିଛନ୍ତି।










