ଭୁବନେଶ୍ୱର: କେନ୍ଦ୍ରୀୟ ହାରରେ ବେତନ, ଠିକା ନିଯୁକ୍ତି ଉଚ୍ଛେଦ ଓ ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ ଦାବି ଦେଇ ଶିକ୍ଷକମାନେ ୧୩ ଦିନ ହେବ ଆନ୍ଦୋଳନରେ ବସିଛନ୍ତି । ତେବେ ଦୁଇଟି ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ୬ଟି ସଂଘ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଏଥିଯୋଗୁ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ଆଗକୁ ଆହୁରି ତେଜିବ ବୋଲି ଶୁଣିବାକୁ ମିଳୁଛି । ଭୁବନେଶ୍ୱରରେ ମହାସମାବେଶ ହେବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ରାଜଧାନୀରେ ୧ଲକ୍ଷ ଶିକ୍ଷକଙ୍କ ମହା ସମାବେଶ ଅନୁଷ୍ଠିତ ହେବ ଏବଂ ଏଥିରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ । ଦାବି ପୂରଣ ହେବା ଯାଏଁ ସବୁ ବିଇଓ ଅଫିସ୍ ଆଗରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି କହିଛନ୍ତି ।
ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସ୍କୁଲରେ ପାଠପଢ଼ା ଏକ ରକମର ଠପ୍ ହୋଇଯାଇଛି । ଅନେକ ସ୍କୁଲରେ ଏବେ ତାଲା ଝୁଲୁଛି । ଆଉ ଯେଉଁ ସ୍କୁଲ ଖୋଲା ରହିଛି, ସେଠାରେ ପାଠ ପଢ଼ା ହେଉନି । ପିଲାମାନେ ସ୍କୁଲ ଯାଉଛନ୍ତି, ହେଲେ ସେମାନେ କେବଳ ମଧ୍ୟାହ୍ନ ଭୋଜନ ଖାଇ ପଳାଇ ଆସୁଛନ୍ତି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟରେ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ବ୍ୟାଘାତ ଘଟିଥିବାରୁ ଏହାର ସମାଧାନ ଦିଗରେ ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଶିକ୍ଷକସଂଘ ସହ ଆଲୋଚନା କରିବାକୁ ସିଏମ୍ଓ ପକ୍ଷରୁ କୁହାଯାଇଛି ବୋଲି ଶୁଣିବାକୁ ମିଳିଥିବା ବେଳେ ଏ ସମ୍ପର୍କରେ ଶିକ୍ଷକସଂଘର ମତାମତ ମିଳିପାରି ନାହିଁ ।