36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମାଆ-ଝିଅ

ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମାଆ-ଝିଅ

ଲକ୍ଷ୍ନୌ: ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ମାଆ ଓ ଝିଅ । ଗତକାଲି ଉତ୍ତରପ୍ରଦେଶ କାନପୁର ଦେହାତରେ ଏଭଳି ଛାତିଥରା ଘଟଣା ଘଟିଛି । ପୋଲିସ ଓ ପ୍ରଶାସନିକ ଟିମ୍ ବୁଲଡୋଜର ଧରି ଜବରଦଖଲ ଉଚ୍ଛେଦ କରୁଥିବା ବେଳେ ଗୋଟିଏ କୁଡିଆ ଘରେ ନିଆଁ ଲାଗି ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣାରେ ଉଚ୍ଛେଦ ପାଇଁ ଆସିଥିବା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାଖଲ ହୋଇଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ପ୍ରଶାସନିକ ଟିମ୍ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତହସିଲ ଓ ଜିଲ୍ଲା ପ୍ରଶାସନ ଜାଣିଶୁଣି ଘରେ ନିଆଁ ଲଗାଇ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସୂଚନା ପାଇ ଡିଭିଜିନାଲ କମିଶନର ରାଜଶେଖର ଏବଂ କାନପୁର ଜୋନ ଏଡିଜି ଆଲୋକ ସିଂହ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ଓ ପୀଡିତ ପରିବାର ସହ ଆଲୋଚନା କରିଛନ୍ତି ।

ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଜି ଆଶ୍ୱସନା ଦେଇଛନ୍ତି । ଏହାସହିତ ପୀଡିତ ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ପ୍ରଶାସନିକ ଟିମ୍ କାନପୁର ଦେହାତ ରୁରା ଥାନା ଅଞ୍ଚଳରେ ଥିବା ଶିବ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ । ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ମନ୍ଦିର ପାଖରେ ଥିବା କୁଡିଆ ଘରେ ନିଆଁ ଲଗାଯାଇଥିଲା । ଘର ଭିତରେ ମାଆ ଓ ଝିଅ ଥିବାବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ପୀଡିତ ପରିବାରର କହିବାନୁସାରେ, ଗତ ଜାନୁଆରୀରେ ମନ୍ଦିର ପାଖରେ ଥିବା ତାଙ୍କ ଘର ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ ପାଇଁ ଯୋଜନା ହୋଇଥିଲା । ଏନେଇ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଗୁହାରି କରିଥିଲେ । ଏହାସତ୍ତ୍ୱେ ମଧ୍ୟ ତାଙ୍କ ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଥିଲା । ଏହାପରେ ପରିବାର ଲୋକେ ସେହି ସ୍ଥାନରେ କୁଆଡି କରି ରହୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking