ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ସମ୍ଭାବ୍ୟ ଭାରତୀୟ ଦଳରେ ଅକ୍ଷର ପଟେଲଙ୍କ ସ୍ଥାନରେ ଦୁଇ ଅଲ୍ରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନ ଓ ୱାଂଶିଟନ୍ ସୁନ୍ଦର ସାମିଲ ହୋଇଛନ୍ତି । ଆବଶ୍ୟକ ପଡିଲେ ଅକ୍ଷରଙ୍କ ସ୍ଥାନରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଭାରତୀୟ ବିଶ୍ୱକପ୍ ଦଳରେ ସାମିଲ କରାଯିବ । ଏନେଇ ଏବେ ଅଶ୍ୱିନ ଓ ସୁନ୍ଦରଙ୍କ ମଧ୍ୟରେ ତୁଳନା କରାଯିବା ଆରମ୍ଭ ହୋଇଗଲାଣି । ଏହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ କହିଛନ୍ତି କି, ଅଶ୍ୱିନ ଓ ସୁନ୍ଦରଙ୍କ ମଧ୍ୟରେ ଏବେ ତୁଳନା କରାଯିବା ସମ୍ଭବ ନୁହେଁ । ଅନ୍ତର୍ଜାତୀୟ କ୍ରିକେଟରେ ଅଶ୍ୱିନଙ୍କ ଅଭିଜ୍ଞତା ଓ ତାଙ୍କର ୱିକେଟ୍ର ରେକର୍ଡକୁ ଲକ୍ଷ୍ୟ କଲେ ଏପରି ତୁଳନା ଗ୍ରହଣୀୟ ନୁହେଁ ।
ବିଶ୍ୱକପ୍ରେ କୌଣସି ଖେଳାଳିଙ୍କୁ ପରୀକ୍ଷା କରିବା ପାଇଁ ନୁହେଁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଦଳରେ ସାମିଲ କରାଯାଏ । ଯେଉଁ କ୍ଷେତ୍ରରେ ସୁନ୍ଦରଙ୍କ ଅପକ୍ଷୋ ଅଶ୍ୱିନ ବହୁତ ଆଗରେ । ଏକଥା ସତ ଅକ୍ଷରଙ୍କ ଆହତ ସମସ୍ୟା ଅଶ୍ୱିନଙ୍କ ପାଇଁ ରାସ୍ତା ଖୋଲିଛି । ଅନ୍ୟଥା ସେ କେବେବି ବିଶ୍ୱକପ୍ ଦଳରେ ସାମିଲ ହେବାର ପ୍ରଶ୍ନହିଁ ଉଠୁନଥିଲା ବୋଲି କୈଫ ପ୍ରକାଶ କରିଛନ୍ତି । ବିଶ୍ୱର ଶ୍ରେଷ୍ଠ ବୋଲର ଭାବେ ପରିଚିତ ଅଶ୍ୱିନ ବର୍ତ୍ତମାନ ସୁଦ୍ଧା ୯୦୦ଟି ଅନ୍ତର୍ଜାତୀୟ ୱିକେଟ ହାସଲ କରି ଏକ ରେକର୍ଡରେ ରହିଛନ୍ତି । ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ ଦୀର୍ଘ ସାଢ଼େ ଚାରି ବର୍ଷର ବ୍ୟବଧାନରେ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଅଶ୍ୱିନଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରାଯାଇଥିଲା । ଏହିଠାରୁ ତାଙ୍କୁ ଦଳରୁ ସାଇଡ୍ଲାଇନ୍ କରି ଦିଆଯାଇଥିଲା ।