କଟକ: ଡାକ୍ତରଙ୍କ ପରାମର୍ଶ ବିନା ଗର୍ଭ ନିରୋଧକ ବଟିକା ବିକ୍ରି ଉପରେ କଟକଣା ଲଗାଇବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଅନିୟନ୍ତ୍ରିତ ଗର୍ଭ ନିରୋଧକ ବଟିକା ସେବନ ଦ୍ୱାରା ମହିଳାଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଥିବା ଦର୍ଶାଇ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ ଏହି ମାମଲା ଦାୟର କରିଛନ୍ତି । ଆବେଦନକାରୀ ତାଙ୍କ ପିଟିସନ୍ରେ ଦର୍ଶାଇଛନ୍ତି ଯେ,ଗର୍ଭଧାରଣ ଏଡ଼ାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି । ହେଲେ ଏଥିପାଇଁ ବ୍ୟବହାର ହେଉଥିବା ଗର୍ଭ ନିରୋଧକ ବଟିକାରେ ନରେଥିଷ୍ଟେରନ୍ ନାମକ ପଦାର୍ଥ ରହୁଛି, ଯାହା ଅତ୍ୟନ୍ତ କ୍ଷତିକାରକ ।
ଏହା ଖାଇବା ଦ୍ୱାରା ମହିଳାଙ୍କ ଶରୀରରେ କ୍ଷରିତ ହେଉଥିବା ହରମୋନ୍କୁ ଅସନ୍ତୁଳିତ କରିଥାଏ । ଏଥିସହ ଶରୀରରେ ଦୁର୍ବଳତା ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିଥାଏ । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଗର୍ଭ ନିରୋଧକ ଔଷଧ ସେବନ କରିବା ଦ୍ୱାରା ନାନା ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ମାରାତ୍ମକ କ୍ୟାନ୍ସର ଭଳି ରୋଗର ଆଶଙ୍କା ମଧ୍ୟ ରହୁଛି । ତେଣୁ ଏସବୁ ଔଷଧ ବ୍ୟବହାର ଉପରେ କଟକଣା ଲଗାଇବାକୁ ନିୟମ କାହିଁକି କରାଯାଇନାହିଁ ଏହାର କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।
ଏଥିସହ ଗର୍ଭ ନିରୋଧକ ଔଷଧର ନିୟମାନୁସାରେ ଯଥାଯଥ ବିକ୍ରି, ଔଷଧ ସେବନ ବିଧି ଓ ବ୍ୟବହାରରେ ପାଶ୍ୱର୍ ପ୍ରତିକ୍ରିୟା ଉପରେ ସଚେତନତା ସୃଷ୍ଟି କରାଯିବାକୁ କାର୍ଯ୍ୟକ୍ରମମାନ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି । ଏହି ଔଷଧ ବିକ୍ରି ନେଇ କଟକଣା ପାଳନ କରାଯିବା ଓ ଚଢ଼ାଉ ନେଇ ନିୟମାବଳୀ ପ୍ରସ୍ତୁତ କରିବାକୁ ପିଟିସନ୍ରେ ଦର୍ଶାଯାଇଛି । ଏହି ମାମଲାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ୍ୟ ଶାସନ ସଚିବ, ଅତିରିକ୍ତ ସଚିବ, ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶକ, ନୂଆଦିଲ୍ଲୀ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ, କଲିକତା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନ୍ଜୀବୀ ଆଫ୍ରାଜ ସୁହାଇଲ୍ ମାମଲା ପରିଚାଳନା କରୁଛନ୍ତି ।