30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶହରିଆଣା ବିଜେପି ସରକାରଙ୍କୁ ଝଟ୍‌କା; କଂଗ୍ରେସକୁ ସମର୍ଥନ କଲେ ୩ ବିଧାୟକ

ହରିଆଣା ବିଜେପି ସରକାରଙ୍କୁ ଝଟ୍‌କା; କଂଗ୍ରେସକୁ ସମର୍ଥନ କଲେ ୩ ବିଧାୟକ

ଚଣ୍ଡିଗଡ଼: ହରିଆଣା ପ୍ରଦେଶ ବିଜେପି ସରକାରକୁ ଆଜି ଜୋରଦାର ଝଟ୍‌କା ଲାଗିଛି । ରିପୋର୍ଟ ଅନୁସାରେ ବିଜେପିକୁ ସମର୍ଥନ ଜଣାଇ ସରକାର ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ୩ ସ୍ୱାଧୀନ ବିଧାୟକ ଆଜି ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରିନେବା ସହ କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସକୁ ସମର୍ଥନ କରିଥିବା ଏହି ୩ ସ୍ୱାଧୀନ ବିଧାୟକ ହେଲେ ତିନି ବିଧାୟକଙ୍କ ମଧ୍ୟରେ ଦାଦରିରୁ ସୋମବୀର ସାଙ୍ଗୱାନ, ନୀଲୋଖେଡିରୁ ଧର୍ମପାଲ ଗୋନ୍ଦର ଓ ପୁଣ୍ଡରିରୁ ରଣଧୀର ଗୋଲନ୍ । ଏହି ୩ ସ୍ୱାଧୀନ ବିଧାୟକଙ୍କ କଂଗ୍ରେସ ପ୍ରତି ସମର୍ଥନ ଏପରି ସମୟରେ ଆସିଛି ଯେତେବେଳେ କି ଦେଶରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ୩ ସ୍ୱାଧୀନ ବିଧାୟକ, ବିଜେପିରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର ଏବଂ କଂଗ୍ରେସକୁ ସମର୍ଥନ ବ୍ୟକ୍ତ କରିବା ସମ୍ପର୍କରେ ବିଧିବଦ୍ଧ ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ରୋହତକ୍ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ହରିଆଣା ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଦା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଉଡାଇ ଭାନ୍ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ, ଏ ସମସ୍ତ ସ୍ୱାଧୀନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବାକୁ ନେଇ ଦୀର୍ଘ ଦିନ ହେବ ବିଜେପ ଉପରେ ଅସନ୍ତୁଷ୍ଟ ଥିଲେ । କଂଗ୍ରେସକୁ ସମର୍ଥନ ଜଣାଇଥିବା ସ୍ୱାଧୀନ ବିଧାୟକଙ୍କ କହିବା ମୁତାବକ, ବିଜେପି ସରକାରଙ୍କ ନୀତି ଜନବିରୋଧୀ ଅଟେ । ଏହି କାରଣରୁ ସେ କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସ୍ୱାଧୀନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପରେ କଂଗ୍ରେସ ରାଜ୍ୟ ସଭାପତି ଉଦୟ ଭାନ୍ କହିଛନ୍ତି, ବିଜେପି ହରିଆଣାରେ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଚଳାଉଥିଲା । କିନ୍ତୁ ଆଜି ବିଜେପି ସରକାରଙ୍କ ପାଖରେ ଆଉ ସଂଖ୍ୟା ଗରିଷ୍ଠତା ନାହିଁ । ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବା ଉଚିତ୍ । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସମ୍ପ୍ରତି ୮୮ ଆସନରେ ବିଧାୟକ ରହିଛନ୍ତି । ବାକି ୨ ଆସନ ଖାଲିପଡ଼ିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୦, କଂଗ୍ରେସ ୩୨ ଓ ଜେଜେପି (ଜନନାୟକ ଜନତା ପାର୍ଟି) ୧୦ ଏବଂ ୮ ସ୍ୱାଧୀନ ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ବିଜେପି, ଜେଜେପି ଏବଂ ୭ ସ୍ୱାଧୀନ ବିଧାୟକଙ୍କ ସହ ମେଣ୍ଟ କରିବା ପୂର୍ବକ ସରକାର ଗଠନ କରିଥିଲା । ତେବେ ସମୟକ୍ରମେ ଜେଜେପି, ବିଜେପି ସହ ମେଣ୍ଟ ଚ୍ଛିନ୍ନ କରିସାରିଛି । ଏବେ ୭ ବିଧାୟକଙ୍କ ମଧ୍ୟରୁ ୩ ବିଧାୟକ ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରିବା ଘୋଷଣା କରିଛନ୍ତି । ଆଗାମୀ ସମୟରେ ମଧ୍ୟ ଆଉ କିଛି ସ୍ୱାଧୀନ ବିଧାୟକ ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏପରିସ୍ଥିତିରେ ବିଜେପି ଏବେ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇସାରିଛି । ସୁତରାଂ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସୈନୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରନ୍ତୁ ବୋଲି ଉଦୟ ଭାନ୍ କହିଛନ୍ତି । ହରିଆଣାରେ ଯଥାଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ଉଚିତ୍ ବୋଲି ସେ କହିଛନ୍ତି । ପ୍ରକାଶ ଚଳିତ ବର୍ଷ ନଭେମ୍ବର ୩ରେ ହରିଆଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking