20.1 C
Bhubaneswar
Thursday, November 26, 2026
Homeଓଡିଶାଗରିବୀ ଓ ଜାତି ବ୍ୟବସ୍ଥା ହଟାଇବା ହେବ ରବି ରାୟଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି -...

ଗରିବୀ ଓ ଜାତି ବ୍ୟବସ୍ଥା ହଟାଇବା ହେବ ରବି ରାୟଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି – ମୀରା କୁମାର

‎ନୂଆଦିଲ୍ଲୀ : ଲୋକସଭାର ପୂର୍ବତନ ବାଚସ୍ପତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜବାଦୀ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ରବି ରାୟଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ନୂଆଦିଲ୍ଲୀସ୍ଥିତ ସ୍ପିକର୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଅଧ୍ୟକ୍ଷତା କରି ଲୋକସଭାର ପୂର୍ବତନ ବାଚସ୍ପତି ଶ୍ରୀମତୀ ମୀରା କୁମାର କହିଲେ ଯେ, ଯେପର୍ଯ୍ୟନ୍ତ ଭାରତରେ ଜାତି ବ୍ୟବସ୍ଥା ଓ ଗରିବୀ ରହିଛି, ସେପର୍ଯ୍ୟନ୍ତ ସମାଜବାଦ ବଞ୍ଚିରହିବ। ଭାରତ ଭଳି ସବୁ କ୍ଷେତ୍ରରେ ଏକ ସମ୍ପନ୍ନ ଦେଶରେ ଗରିବୀ ବଢ଼ିବାରେ ଲାଗିଛି ଆଉ ମାଆ ଲକ୍ଷ୍ମୀ ଖୁବ୍ କମ୍ ଲୋକଙ୍କ ଘରେ ଚକ୍କର ଲଗାଉଛନ୍ତି। ଏହା ବିରୋଧରେ ବର୍ତ୍ତମାନର ସଂସଦ ବିଶେଷ କିଛି ପଦକ୍ଷେପ ନେଇପାରୁ ନାହିଁ। ଅପରପକ୍ଷରେ ରବି ରାୟଙ୍କ ପ୍ରତି ବାସ୍ତବ ସମ୍ମାନ ଜଣାଇବାର ଅର୍ଥ ହେଉଛି ଏ ଦେଶରୁ ଗରିବୀ ଓ ଜାତି ବ୍ୟବସ୍ଥା ହଟାଇ ତାଙ୍କର ସ୍ୱପ୍ନର ସମତା ପ୍ରତିଷ୍ଠିତ କରିବା। ଏହି ଅବସରରେ ଆରାବଳୀ ବଞ୍ଚାଅ ଅଭିଯାନର ନେତା କୈଳାଶ ମୀନାଙ୍କୁ ଚଳିତ ବର୍ଷର ‘ରବି ରାୟ ଗ୍ରୀନ ସମ୍ମାନ’ରେ ସମ୍ମାନିତ କରାଯିବା ସହ ମାନପତ୍ର, ମୋମେଣ୍ଟୋ ଓ ପଚିଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସଭାରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ହନନ ମୋଲ୍ଲା, କିଷାନ ସଂଘର୍ଷ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ସୁନିଲମ୍, ଲୋହିଆଙ୍କ ସହ ସହବନ୍ଦୀ ରହିଥିବା ପ୍ରଫେସର ରାଜକୁମାର ଜୈନ, ପିୟୁସିଏଲ୍‌ର ଅଧ୍ୟକ୍ଷା କବିତା କୃଷ୍ଣନ, ଇନ୍ଦୋରର ସମାଜବାଦୀ ନେତା ରାମବାବୁ ଅଗ୍ରୱାଲ, ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରୀ ନେତ୍ରୀ ଦାନିଶ ଅଲ୍ଲୀ, ହିନ୍ଦ ମଜଦୁର ସଭାର ସାଧାରଣ ସମ୍ପାଦକ ମହେନ୍ଦ୍ର ଶର୍ମା, ହାଇଦ୍ରାବାଦର ଗୋପାଳ ସିଂହ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଡ. ସନ୍ଥପ୍ରକାଶ ସଭା ପରିଚାଳନା କରିଥିବା ବେଳେ ରବି ରାୟ ଜନ୍ମ ଶତବାର୍ଷିକୀ ସମିତି ଓଡ଼ିଶାର ସମ୍ପାଦକ ଡ. ବିଶ୍ୱଜିତ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ଅଧିବେଶନରେ ରବି ରାୟ ଶତବାର୍ଷିକୀ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ଆନନ୍ଦ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା, ପଞ୍ଜାବ ଓ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧରଙ୍କ ଲିଖିତ ଭାଷଣକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ମନୋରଞ୍ଜନ ମହାନ୍ତି ସଭାରେ ପାଠ କରିଥିଲେ। “ଜୀବନବ୍ୟାପୀ ସକ୍ରିୟ ସମାଜବାଦୀ ଥିବା ରବି ରାୟ ସରଳତା ଏବଂ ସଚ୍ଚୋଟତାର ପ୍ରତୀକ ଥିଲେ, ଯାହା ତାଙ୍କୁ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥିଲା। ସାମ୍ବିଧାନିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ଏବଂ ଗଣତାନ୍ତ୍ରିକ ଜୀବନଶୈଳୀକୁ ବଜାୟ ରଖିବାକୁ ଚାହୁଁଥିବା ପ୍ରତିବଦ୍ଧ ସମାଜବାଦୀମାନଙ୍କର ଏକାଧିକ ପିଢ଼ିକୁ ସେ ପ୍ରେରଣା ଦେଇଛନ୍ତି। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ, ବିଶେଷକରି ବିଧାନସଭା ଓ ଲୋକସଭାର ସ୍ୱାଧୀନତା ପୁନରୁଦ୍ଧାର କରିବା ପାଇଁ ଭାରତକୁ ଆହୁରି ଅନେକ ରବି ରାୟଙ୍କ ଆବଶ୍ୟକତା ରହିଛି।” ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ ମୁରଲୀଧରଙ୍କ ମାତୃ ବିୟୋଗ ଘଟିଥିବାରୁ ସେ ସଭାରେ ଯୋଗଦେଇପାରିନଥିଲେ।
‎
‎ଏହି ଅଧିବେଶନରେ ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମାଜବାଦୀ ନେତା ଯୋଗେନ୍ଦ୍ର ଯାଦବ ଓ ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ ଅଭିଭାଷଣ ପ୍ରଦାନ କରିଥିଲେ ଓ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପରମ ପାବନ ଦଲାଇ ଲାମାଙ୍କ ବାର୍ତ୍ତା ତିବ୍ବତ ସରକାରଙ୍କ ପକ୍ଷରୁ ପାଠ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛାଙ୍କ ଲିଖିତ ‘ରବି ରାୟ : ଏ ଲାଇଫ୍ ଇନ୍ ଏଥିକ୍ସ’ ଓ ସ୍ମରଣିକା ‘ରବି ରାୟ ଲିଗାସୀ – ଟ୍ରିବୁଟ୍ସ ଟୁ ଦି ସୋସିଆଲିଷ୍ଟ ଲିଡର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking