କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ୨୦୨୫-୨୬ ବର୍ଷର ପ୍ରମୁଖ କୃଷି ଫସଲର ଚୂଡ଼ାନ୍ତ ଉତ୍ପାଦନ ଆକଳନ ଏବଂ ୨୦୨୬-୨୭ ଖରିଫ ଋତୁର ପ୍ରଥମ ଅଗ୍ରିମ ଉତ୍ପାଦନ ଆକଳନ ଜାରି କରି ଦେଶର କୃଷି କ୍ଷେତ୍ରର ଐତିହାସିକ ସଫଳତା ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ଚାଷୀଙ୍କ କଠିନ ପରିଶ୍ରମ ଏବଂ ସରକାରଙ୍କ କୃଷି ନୀତି ଯୋଗୁଁ ଭାରତ ଆଜି ଚାଉଳ, ଡାଲି, ଝୋଟ, ମିଲେଟ ଏବଂ ମସଲା ଉତ୍ପାଦନରେ ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଛି। ସେ କହିଛନ୍ତି ଯେ, ୨୦୨୫-୨୬ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ୩୭୮୫.୩୮ ଲକ୍ଷ ଟନ୍ର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ, ଏଲ୍ ନିନୋ ଏବଂ ମୌସୁମୀ ବର୍ଷାରେ ବିଳମ୍ବ ଭଳି ଗୁରୁତର ପାଣିପାଗଜନିତ ଆହ୍ୱାନ ସତ୍ତ୍ୱେ ୨୦୨୬-୨୭ ଖରିଫ ଋତୁରେ ୧୬୭୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଏହା ଗତ ୫ ବର୍ଷର ହାରାହାରି ଉତ୍ପାଦନଠାରୁ ୯୭.୬୭ ଲକ୍ଷ ଟନ୍ ଅଧିକ।
ବିଶ୍ୱ କୃଷି ମଞ୍ଚରେ ଭାରତର ପ୍ରଭାବ ବୃଦ୍ଧି, ରପ୍ତାନିରେ ମଧ୍ୟ ଅଗ୍ରଗତି
ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ, ଭାରତ ଆଜି କେବଳ ନିଜ ଦେଶର ଖାଦ୍ୟ ଆବଶ୍ୟକତା ପୂରଣ କରୁନାହିଁ, ବରଂ ବିଶ୍ୱର ଖାଦ୍ୟ ଯୋଗାଣରେ ମଧ୍ୟ ବଡ଼ ଅବଦାନ ରଖୁଛି। ବିଶ୍ୱ କୃଷି ଉତ୍ପାଦନ ତାଲିକାରେ ଚାଉଳ, ଡାଲି, ଝୋଟ, ମିଲେଟ୍ସ ଓ ମସଲା ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ରହିଛି। ସେହିପରି ଗହମ, କପା, ଚିନାବାଦାମ ଏବଂ ଫଳ ଓ ପନିପରିବା ଉତ୍ପାଦନରେ ଚୀନ୍ ପରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆଖୁ ଉତ୍ପାଦନରେ ବ୍ରାଜିଲ ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀ ଚୌହାନ ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ, ଦେଶରେ ଚାଉଳ ଓ ଗହମର ପର୍ଯ୍ୟାପ୍ତ ପରିମାଣ ମହଜୁଦ ରହିଛି। ବିଶ୍ୱ ବଜାରରେ ଭାରତୀୟ ଚାଉଳର ଚାହିଦା ବଢ଼ୁଛି ଏବଂ ଏହାର ରପ୍ତାନିରେ ୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଆମେରିକା, କାନାଡା ଓ ମଧ୍ୟପ୍ରାଚ୍ୟ ସମେତ ବିଶ୍ୱର ବିଭିନ୍ନ ଦେଶରେ ଭାରତୀୟ ବାସୁମତୀ ଚାଉଳର ସୁଗନ୍ଧ ପହଞ୍ଚୁଛି।
ଡାଲି ଓ ତୈଳବୀଜରେ ଆତ୍ମନିର୍ଭରତା ସହ ଫସଲ ବିବିଧକରଣ ଉପରେ ଗୁରୁତ୍ୱ
ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି ଯେ, ଚାଉଳ ଓ ଗହମ ଉତ୍ପାଦନରେ ଦେଶ ବଳକା ଉତ୍ପାଦନ ସ୍ଥିତି ହାସଲ କରିବା ପରେ ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଫସଲ ବିବିଧକରଣ ସହ ଡାଲି ଓ ତୈଳବୀଜ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ଉପରେ ରହିଛି। ସେ କହିଛନ୍ତି ଯେ, ଦେଶରେ ଡାଲି ଓ ଖାଇବା ତେଲର ଚାହିଦା କ୍ରମାଗତ ଭାବେ ବଢ଼ୁଛି। ଏହି ଆବଶ୍ୟକତା ପୂରଣ କରିବା ପାଇଁ ‘ଡାଲି ମିଶନ’ ଏବଂ ‘ତୈଳବୀଜ ମିଶନ’ ଜରିଆରେ ଉତ୍ପାଦନ ବୃଦ୍ଧି ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି। ଏହି ପ୍ରୟାସର ସକାରାତ୍ମକ ପରିଣାମ ଚୂଡ଼ାନ୍ତ ଉତ୍ପାଦନ ଆକଳନରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି।
୨୦୨୫-୨୬ ବର୍ଷର ଚୂଡ଼ାନ୍ତ ଆକଳନ: ଖାଦ୍ୟଶସ୍ୟ, ଡାଲି ଓ ତୈଳବୀଜ ଉତ୍ପାଦନରେ ଐତିହାସିକ ରେକର୍ଡ
ଶ୍ରୀ ଚୌହାନଙ୍କ ଦ୍ୱାରା ଜାରି ୨୦୨୫-୨୬ ବର୍ଷର ଚୂଡ଼ାନ୍ତ ଉତ୍ପାଦନ ଆକଳନ ଅନୁଯାୟୀ, ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୩୭୮୫.୩୮ ଲକ୍ଷ ଟନ୍ର ରେକର୍ଡ ସ୍ତରରେ ପହଞ୍ଚିଛି। ୨୦୨୪-୨୫ରେ ଏହି ଉତ୍ପାଦନ ୩୫୭୭.୩୨ ଲକ୍ଷ ଟନ୍ ଥିବାବେଳେ ଚଳିତ ବର୍ଷ ଏଥିରେ ୨୦୮.୦୬ ଲକ୍ଷ ଟନ୍ ବୃଦ୍ଧି ହୋଇଛି।
ଚାଉଳ ଓ ଗହମ: ଗତ ବର୍ଷର ୧୫୦୧.୮୪ ଲକ୍ଷ ଟନ୍ ତୁଳନାରେ ଚାଉଳ ଉତ୍ପାଦନ ୪୯.୭୦ ଲକ୍ଷ ଟନ୍ ବୃଦ୍ଧି ପାଇ ୧୫୫୧.୫୪ ଲକ୍ଷ ଟନ୍ର ରେକର୍ଡ ସ୍ତରରେ ପହଞ୍ଚିଛି। ସେହିପରି ଗହମ ଉତ୍ପାଦନ ୨୦୨୪-୨୫ର ୧୧୭୯.୪୫ ଲକ୍ଷ ଟନ୍ରୁ ୪୧.୧୯ ଲକ୍ଷ ଟନ୍ ବୃଦ୍ଧି ପାଇ ୧୨୨୦.୬୪ ଲକ୍ଷ ଟନ୍ର ଐତିହାସିକ ସ୍ତରରେ ପହଞ୍ଚିଛି।
ମକା, ଶ୍ରୀ ଅନ୍ନ ଓ ଡାଲି: ମକା ଉତ୍ପାଦନ ୨୦୨୪-୨୫ର ୪୩୪.୦୯ ଲକ୍ଷ ଟନ୍ରୁ ବୃଦ୍ଧି ପାଇ ୫୫୦.୨୫ ଲକ୍ଷ ଟନ୍ ହୋଇଛି। ପୁଷ୍ଟିକର ଓ ମୋଟା ଶସ୍ୟର ମୋଟ ଉତ୍ପାଦନ ୭୪୦.୮୦ ଲକ୍ଷ ଟନ୍ ରହିଥିବାବେଳେ ଏଥିରେ ଶ୍ରୀ ଅନ୍ନର ଅଂଶ ୧୭୨.୦୯ ଲକ୍ଷ ଟନ୍ ରହିଛି। ମୋଟ ଡାଲି ଉତ୍ପାଦନ ଗତ ବର୍ଷର ୨୫୬.୮୩ ଲକ୍ଷ ଟନ୍ରୁ ୧୫.୫୭ ଲକ୍ଷ ଟନ୍ ବୃଦ୍ଧି ପାଇ ୨୭୨.୪୦ ଲକ୍ଷ ଟନ୍ ହୋଇଛି। ଏଥିରେ ମୁଗ ଉତ୍ପାଦନ ୪୩.୯୬ ଲକ୍ଷ ଟନ୍ର ନୂଆ ରେକର୍ଡ କରିଛି। ସେହିପରି ବୁଟ ଉତ୍ପାଦନ ୧୨୫.୧୩ ଲକ୍ଷ ଟନ୍ ଏବଂ ହରଡ଼ ଡାଲି ଉତ୍ପାଦନ ୩୫.୯୯ ଲକ୍ଷ ଟନ୍ ରହିଛି।
ତୈଳବୀଜ ଓ ଅର୍ଥକରୀ ଫସଲ: ମୋଟ ତୈଳବୀଜ ଉତ୍ପାଦନ ଗତ ବର୍ଷର ୪୨୯.୮୯ ଲକ୍ଷ ଟନ୍ରୁ ୨.୬୬ ଲକ୍ଷ ଟନ୍ ବୃଦ୍ଧି ପାଇ ୪୩୨.୫୫ ଲକ୍ଷ ଟନ୍ର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥିରେ ଚିନାବାଦାମ ଉତ୍ପାଦନ ୧୩୧.୭୧ ଲକ୍ଷ ଟନ୍ ରହିଛି, ଯାହା ଗତ ବର୍ଷର ୧୧୯.୪୨ ଲକ୍ଷ ଟନ୍ଠାରୁ ୧୨.୨୯ ଲକ୍ଷ ଟନ୍ ଅଧିକ। ସେହିପରି ରେପସିଡ୍ ଓ ସୋରିଷ ଉତ୍ପାଦନ ୧୩୭.୬୬ ଲକ୍ଷ ଟନ୍ର ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ବର୍ଷ ଏହା ୧୨୬.୬୭ ଲକ୍ଷ ଟନ୍ ଥିଲା। ସୋୟାବିନ୍ ଉତ୍ପାଦନ ୧୨୬.୩୬ ଲକ୍ଷ ଟନ୍ ରହିଛି। ଅର୍ଥକରୀ ଫସଲ ମଧ୍ୟରେ ଆଖୁ ଉତ୍ପାଦନ ୫୦୩୭.୨୯ ଲକ୍ଷ ଟନ୍, କପା ଉତ୍ପାଦନ ୨୮୦.୦୬ ଲକ୍ଷ ବେଲ୍ (ପ୍ରତି ବେଲ୍ ୧୭୦ କିଲୋଗ୍ରାମ) ଏବଂ ଝୋଟ ଓ ମେସ୍ତା ଉତ୍ପାଦନ ୯୪.୨୮ ଲକ୍ଷ ବେଲ୍ (ପ୍ରତି ବେଲ୍ ୧୮୦ କିଲୋଗ୍ରାମ) ରହିଛି।
୨୦୨୬-୨୭ ଖରିଫ ଋତୁର ପ୍ରଥମ ଅଗ୍ରିମ ଆକଳନ: ଏଲ୍ ନିନୋ ଚ୍ୟାଲେଞ୍ଜକୁ ମାତ୍ ଦେଲା ଚାଷୀଙ୍କ ଦୃଢ଼ ମନୋବଳ
୨୦୨୬-୨୭ ଖରିଫ ଋତୁର ପ୍ରଥମ ଅଗ୍ରିମ ଉତ୍ପାଦନ ଆକଳନ ଜାରି କରି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଏଲ୍ ନିନୋର ପ୍ରତ୍ୟାବର୍ତ୍ତନ, ଜୁନ୍ ମାସରେ ମୌସୁମୀ ବର୍ଷାରେ ବିଳମ୍ବ (୩୫ରୁ ୪୦ ପ୍ରତିଶତ କମ୍ ବର୍ଷା) ଏବଂ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଭଳି ପ୍ରମୁଖ କୃଷି ଅଞ୍ଚଳରେ ମାଟିର ଆର୍ଦ୍ରତା ହ୍ରାସ ଓ ମରୁଡ଼ି ପରିସ୍ଥିତି ଯୋଗୁଁ ଧାନ, ମକା, ହରଡ଼, ସୋୟାବିନ୍ ଓ କପା ଭଳି ଫସଲର ବୁଣା ପ୍ରଭାବିତ ହୋଇଥିଲା। ତଥାପି ଚାଷୀଙ୍କ ଅଦମ୍ୟ ସାହସ, ସରକାରୀ ଯୋଜନା ଏବଂ ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ଜଳବାୟୁ ସହନଶୀଳ କିସମର ଫସଲ ଯୋଗୁଁ ଚଳିତ ଖରିଫ ଋତୁରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୧୬୭୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ହେବ ବୋଲି ଆକଳନ କରାଯାଇଛି। ଏହା ଗତ ପାଞ୍ଚ ବର୍ଷର ହାରାହାରି ଖରିଫ ଉତ୍ପାଦନଠାରୁ ୯୭.୬୭ ଲକ୍ଷ ଟନ୍ ଅଧିକ।
ପ୍ରମୁଖ ଖରିଫ ଫସଲର ଉତ୍ପାଦନ ଆକଳନ: ପ୍ରଥମ ଅଗ୍ରିମ ଆକଳନ ଅନୁଯାୟୀ, ଖରିଫ ଧାନ ଉତ୍ପାଦନ ୧୨୧୯.୦୫ ଲକ୍ଷ ଟନ୍ ରହିବାର ଆଶା କରାଯାଇଛି। ସେହିପରି ପୁଷ୍ଟିକର ଓ ମିଲେଟର ମୋଟ ଉତ୍ପାଦନ ୩୮୧.୦୫ ଲକ୍ଷ ଟନ୍ ହେବାର ଆକଳନ କରାଯାଇଛି। ଏଥିରେ ମକା ୨୬୦.୬୪ ଲକ୍ଷ ଟନ୍, ବାଜରା ୮୯.୪୩ ଲକ୍ଷ ଟନ୍, ଜୁଆର ୧୪.୭୯ ଲକ୍ଷ ଟନ୍, ମାଣ୍ଡିଆ ୧୨.୪୮ ଲକ୍ଷ ଟନ୍ ଏବଂ କ୍ଷୁଦ୍ର ମିଲେଟ୍ ୩.୭୧ ଲକ୍ଷ ଟନ୍ ରହିଛି।
ଡାଲି ଓ ତୈଳବୀଜ ଉତ୍ପାଦନ: ଚଳିତ ଖରିଫ ଋତୁରେ ମୋଟ ଡାଲି ଉତ୍ପାଦନ ୭୧.୩୨ ଲକ୍ଷ ଟନ୍ ହେବାର ଆକଳନ କରାଯାଇଛି। ଏଥିରେ ହରଡ଼ ୩୧.୨୨ ଲକ୍ଷ ଟନ୍, ମୁଗ ୧୬.୫୯ ଲକ୍ଷ ଟନ୍, ବିରି ୧୪.୪୯ ଲକ୍ଷ ଟନ୍ ଏବଂ ଅନ୍ୟାନ୍ୟ ଡାଲି ୯.୦୨ ଲକ୍ଷ ଟନ୍ ରହିଛି। ସେହିପରି ମୋଟ ଖରିଫ ତୈଳବୀଜ ଉତ୍ପାଦନ ୨୩୯.୪୭ ଲକ୍ଷ ଟନ୍ ହେବାର ଆଶା କରାଯାଇଛି। ଏଥିରେ ଚିନାବାଦାମ ୧୧୧.୬୮ ଲକ୍ଷ ଟନ୍, ସୋୟାବିନ୍ ୧୦୨.୪୪ ଲକ୍ଷ ଟନ୍, ରାଶି ୪.୯୧ ଲକ୍ଷ ଟନ୍, ଏରଣ୍ଡ ୧୮.୯୭ ଲକ୍ଷ ଟନ୍, ସୂର୍ଯ୍ୟମୁଖୀ ୧.୧୭ ଲକ୍ଷ ଟନ୍ ଏବଂ ରାମତିଳ ୦.୩୦ ଲକ୍ଷ ଟନ୍ ରହିଛି।
ଖରିଫ ଅର୍ଥକରୀ ଫସଲ: ପ୍ରଥମ ଅଗ୍ରିମ ଆକଳନ ଅନୁଯାୟୀ, ଚଳିତ ଖରିଫ ଋତୁରେ ଆଖୁ ଉତ୍ପାଦନ ୪୫୪୩.୩୯ ଲକ୍ଷ ଟନ୍ ହେବାର ଆକଳନ କରାଯାଇଛି। ସେହିପରି କପା ଉତ୍ପାଦନ ୨୪୮.୬୬ ଲକ୍ଷ ବେଲ୍ (ପ୍ରତି ବେଲ୍ ୧୭୦ କିଲୋଗ୍ରାମ୍) ଏବଂ ଝୋଟ ଓ ମେସ୍ତା ଉତ୍ପାଦନ ୯୭.୦୬ ଲକ୍ଷ ବେଲ୍ (ପ୍ରତି ବେଲ୍ ୧୮୦ କିଲୋଗ୍ରାମ୍) ରହିବାର ଆଶା କରାଯାଇଛି।
ଡିଜିଟାଲ୍ ଫସଲ ସର୍ବେକ୍ଷଣ ଓ ତିନିସ୍ତରୀୟ ବୈଜ୍ଞାନିକ ଯାଞ୍ଚ ଆଧାରରେ ତଥ୍ୟ ପ୍ରସ୍ତୁତ
ଶ୍ରୀ ଚୌହାନ କହିଛନ୍ତି ଯେ, ଏହି ତଥ୍ୟ କେବଳ ଏକ ପ୍ରାରମ୍ଭିକ ଆକଳନ। ଅମଳ ସମୟରେ କରାଯାଉଥିବା ଫସଲ ଅମଳ ପରୀକ୍ଷଣ (ସିସିଇ)ରୁ ପ୍ରକୃତ ଉତ୍ପାଦନ ତଥ୍ୟ ମିଳିବା ପରେ ଦ୍ୱିତୀୟ ଓ ଚୂଡ଼ାନ୍ତ ଆକଳନରେ ଏହାକୁ ସଂଶୋଧନ କରାଯିବ। ଏହି ଆକଳନ ପ୍ରସ୍ତୁତିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ମିଳିଥିବା ତଥ୍ୟ ସହିତ ରିମୋଟ୍ ସେନ୍ସିଂ, ସାପ୍ତାହିକ ଫସଲ-ପାଣିପାଗ ନିରୀକ୍ଷଣ ଗୋଷ୍ଠୀ (ସିଡବ୍ଲ୍ୟୁଡବ୍ଲ୍ୟୁଜି), ଡିଜିଟାଲ୍ ଫସଲ ସର୍ବେକ୍ଷଣ, ଡିଜିଟାଲ୍ ସାଧାରଣ ଫସଲ ଆକଳନ ସର୍ବେକ୍ଷଣ ଏବଂ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହ ଆଲୋଚନାରୁ ମିଳିଥିବା ତଥ୍ୟକୁ ବିଚାରକୁ ନିଆଯାଇଛି। ଏହା ସହିତ ତିନିସ୍ତରୀୟ ବୈଜ୍ଞାନିକ ଯାଞ୍ଚ ଓ ତଥ୍ୟର ପରସ୍ପର ମିଳେଇବା ପରେ ଏହି ଆକଳନ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।










