ଭୁବନେଶ୍ୱର : MMDR ସଂଶୋଧନ ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ଯେ ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଏବଂ ରାଜ୍ୟର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଆଇନଗତ ଓ ଆର୍ଥିକ ରଣନୀତି କ’ଣ? ଓଡ଼ିଶା କ’ଣ MMDR ସଂଶୋଧନକୁ ଚ୍ୟାଲେଞ୍ଜ କରିବ, ନା କେନ୍ଦ୍ର ସରକାରଙ୍କ ଠାରୁ ରାଜସ୍ୱ ଭାଗବଣ୍ଟା କିମ୍ବା କ୍ଷତିପୂରଣ ପାଇଁ ନିଶ୍ଚିତ ବ୍ୟବସ୍ଥା ଦାବି କରିବ? ଏହି ସଂଶୋଧିତ ଆଇନ ଅଧୀନରେ ଆଗାମୀ ୫-୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ କେତେ ଖଣି ରାଜସ୍ୱ ମିଳିବ ଏବଂ ସୁପ୍ରିମକୋର୍ଟଙ୍କ ୨୦୨୪ ରାୟ ଅନୁଯାୟୀ ଯେତିକି ରାଜସ୍ୱ ମିଳିଥାନ୍ତା, ତା’ ସହିତ ଏହାର ତୁଳନା କ’ଣ ହେବ? ଓଡ଼ିଶାର ପ୍ରକୃତ ଆର୍ଥିକ କ୍ଷତି କେତେ ହେବ ଏବଂ ଏହି କ୍ଷତିକୁ କିଏ ଭରଣା କରିବ?
ଉତ୍ତରରେ ବିଭୂତି ଭୂଷଣ ଜେନା କହିଛନ୍ତି ରାଜ୍ୟ ସରକାର, ପ୍ରଯୁଜ୍ୟ ଆଇନ ଓ ନିୟମାବଳୀ ଅନୁଯାୟୀ, ରାଜ୍ୟରେ ଖଣି କାର୍ଯ୍ୟକଳାପରୁ ଉଦ୍ଭୂତ ସରକାରୀ ପ୍ରାପ୍ୟଗୁଡ଼ିକ (ଯେପରିକି ରୟାଲିଟି, ଡେଡ୍ ରେଣ୍ଟ, ସର୍ଫେସ୍ ରେଣ୍ଟ, ଅତିରିକ୍ତ ରାଶି, ନିଲାମ ପ୍ରିମିୟମ୍, ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ଅବଦାନ, ଜାତୀୟ ଖଣିଜ ଅନୁସନ୍ଧାନ ଓ ବିକାଶ ଟ୍ରଷ୍ଟ (NMET) ଅବଦାନ ଏବଂ ଅନ୍ୟାନ୍ୟ ବୈଧାନିକ ଦେୟ) ଯଥାସମୟରେ ଓ ସମ୍ପୂର୍ଣ୍ଣ ଭାବେ ଆଦାୟ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। (ଖ) MMDR ସଂଶୋଧନ ଆଇନ, ୨୦୨୬ ସମ୍ବନ୍ଧରେ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ହେବାକୁ ଥିବା ନିୟମାବଳୀ (ଯେଉଁଥିରେ ବିଭିନ୍ନ ସର୍ତ୍ତାବଳୀ ଓ କଟକଣା ଅନ୍ତର୍ଭୁକ୍ତ ଥାଇପାରେ) ଲାଗୁ ହେବା ପରେ, ରାଜ୍ୟ ସରକାର ଏହାର ପ୍ରଭାବକୁ ରାଜ୍ୟର ଖଣିଜ ରାଜସ୍ୱ ଏବଂ ଆର୍ଥିକ ସ୍ୱାର୍ଥ ଦୃଷ୍ଟିରୁ ପରୀକ୍ଷା କରିବେ। ଏହାର ଆଇନଗତ ଓ ଆର୍ଥିକ ପ୍ରଭାବର ଆକଳନ ଆଧାରରେ, ରାଜ୍ୟ ସରକାର ନିଜର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ଆଇନଗତ ତଥା ଅନ୍ୟାନ୍ୟ ପଦକ୍ଷେପ ନେବା ସମ୍ବନ୍ଧରେ ଉପଯୁକ୍ତ ନିଷ୍ପତ୍ତି ନେବେ।









