ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଜଳେଶ୍ୱର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିବା ସହ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। ଏଥିସହ ତଦନ୍ତରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଘଟଣାରେ ଫାଣ୍ଡି ଅଧିକାରୀ କାହିଁକି ଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ନେଇ ନଥିଲେ, ତାହାକୁ ଗୁରୁତ୍ୱର ସହ ନିଆଯାଇଛି। ଏହି ଅବହେଳା ପାଇଁ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ସମ୍ପର୍କିତ ଫରେନସିକ୍ ତଥ୍ୟର ଯାଞ୍ଚ ଚାଲିଥିବା ସେ କହିଛନ୍ତି। ଏହି ମାମଲାରେ ଯେଉଁମାନଙ୍କର ସମ୍ପୃକ୍ତି ପ୍ରମାଣିତ ହେବ, ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।










