26.1 C
Bhubaneswar
Tuesday, November 24, 2026
Homeଓଡିଶାଯୋଜନାରୁ କାର୍ଯ୍ୟାନ୍ୱୟନ ଦିଗରେ ଓଡ଼ିଶାର ୬ଟି ପ୍ରମୁଖ ଜଳ ସମ୍ପଦ ପଦକ୍ଷେପ

ଯୋଜନାରୁ କାର୍ଯ୍ୟାନ୍ୱୟନ ଦିଗରେ ଓଡ଼ିଶାର ୬ଟି ପ୍ରମୁଖ ଜଳ ସମ୍ପଦ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ଜଳ ସୁରକ୍ଷା, ଜଳବାୟୁ ସହନଶୀଳତା ଓ ପରିବେଶଗତ ସ୍ଥିରତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ୬ଟି ପ୍ରମୁଖ ପଦକ୍ଷେପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ପ୍ରସ୍ତୁତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମୀକ୍ଷା ହୋଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ହେଲା ବୋଇତ ଯୋଜନା, ନଦୀ ପୁନରୁଦ୍ଧାର, ନଦୀ ମୁହାଣ ଖନନ, ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ଗଙ୍ଗୁଆ ନଦୀର ପୁନରୁଦ୍ଧାର ଏବଂ ଜଳଭଣ୍ଡାରରୁ ପଟୁ ମାଟି ଅପସାରଣ।

ବୈଠକରେ ଯୋଜନାଗୁଡ଼ିକର ଅଗ୍ରଗତି, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି, ବ୍ୟୟ ଅଟକଳ, ବୈଷୟିକ ଅନୁମୋଦନ, ଆବଶ୍ୟକୀୟ ଅନୁମତି ଓ କାର୍ଯ୍ୟାନ୍ୱୟନ ସମୟସୀମା ଉପରେ ଆଲୋଚନା ହୋଇଥିଲା। ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପ୍ରସ୍ତୁତିମୂଳକ କାର୍ଯ୍ୟ ଓ ପ୍ରମୁଖ ମାଇଲଖୁଣ୍ଟ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୋଇତ ଯୋଜନା ମାଧ୍ୟମରେ ରାଜ୍ୟର ଐତିହାସିକ ଜଳସେଚନ ଭିତ୍ତିଭୂମିକୁ ପର୍ଯ୍ୟଟନ ସହ ଯୋଡ଼ିବା ଏବଂ ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ଲକ୍ଷ୍ୟ ରହିଛି। ନଦୀ ପୁନରୁଦ୍ଧାର ଓ ନଦୀ ମୁହାଣ ଖନନ ଦ୍ୱାରା ନଦୀର ପରିବେଶଗତ ସ୍ଥିତିରେ ଉନ୍ନତି, ଜଳ ନିଷ୍କାସନ କ୍ଷମତା ବୃଦ୍ଧି ଏବଂ ବିଶେଷକରି ଉପକୂଳ ଅଞ୍ଚଳରେ ବନ୍ୟା ଆଶଙ୍କା ହ୍ରାସ ଉପରେ ଲକ୍ଷ୍ୟ ରଖାଯାଇଛି।

ସେହିପରି ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ଦ୍ୱାରା ଜଳବନ୍ଦୀ ସମସ୍ୟାର ନିରାକରଣ, ଗଙ୍ଗୁଆ ନଦୀର ପୁନରୁଦ୍ଧାର ଦ୍ୱାରା ଜଳର ଗୁଣବତ୍ତା ଓ ପରିବେଶଗତ ସ୍ଥିତିରେ ଉନ୍ନତି ଏବଂ ଜଳଭଣ୍ଡାରରୁ ପଟୁ ମାଟି ଅପସାରଣ ମାଧ୍ୟମରେ ଜଳଧାରଣ କ୍ଷମତାର ପୁନରୁଦ୍ଧାର ଲକ୍ଷ୍ୟ ରଖାଯାଇଛି। ସମସ୍ତ ପ୍ରକଳ୍ପରେ ସରକାରଙ୍କ ଅନୁମୋଦିତ ଲକ୍ଷ୍ୟ, ବୈଷୟିକ ମାନଦଣ୍ଡ ଓ ଆର୍ଥିକ ବ୍ୟବସ୍ଥାର ଅନୁପାଳନ ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ କରି ଶ୍ରୀମତୀ ଶର୍ମା ସମସ୍ତ ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତୁତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ବିଭିନ୍ନ ସ୍ତରରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking