26.1 C
Bhubaneswar
Sunday, November 22, 2026
Homeଓଡିଶାବିଜେଡି ସହ ବିଜେପି ନାହିଁ ବୋଲି ଧାରଣା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଉଦ୍ଦିଷ୍ଟ:...

ବିଜେଡି ସହ ବିଜେପି ନାହିଁ ବୋଲି ଧାରଣା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଉଦ୍ଦିଷ୍ଟ: ଭକ୍ତ

ନିଜ ସରକାରର ବିଫଳତାରୁ ଧ୍ୟାନ ହଟାଇବାକୁ ହିଁ ମୁଖ୍ୟମନ୍ତ୍ରୀ କ୍ଷମତାକୁ ଆସିବାର ୨୯ ମାସ ପରେ ପୂର୍ବ ସରକାରର ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ତଦନ୍ତ ଆଦେଶ ଦେଇଛନ୍ତି। ‘ବିଜେଡି ପ୍ରତି ସେମାନେ କୋହଳ ହେଉଛନ୍ତି ଓ ଉଭୟ ଦଳ ଭାଇଭାଇ’ ବୋଲି ହେଉଥିବା ଅଭିଯୋଗକୁ ପାଣିଚିଆ କରିବାକୁ ହିଁ ବିଜେପି ଏପରି ନାଟକବାଜି କରୁଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଦୁଇଜଣ ଅଧିକାରୀ ପାଣ୍ଡିଆନ ଓ ରବିକାନ୍ତଙ୍କ ଜାପାନ ଓ ଭାଟିକାନ ଗସ୍ତ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ବିଷୟରେ ରବିବାର ଅପରାହ୍‌ଣରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଥିଲେ, ରାଜ୍ୟରେ ହଜାରହଜାର ସଂଖ୍ୟାରେ ପ୍ରସଙ୍ଗ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ କୌଣସି କଥାରେ ନିର୍ଦ୍ଦେଶ ନ ଦେଇ ବିଜେଡି କ୍ଷମତାରୁ ଯିବାର ଅଢ଼େଇବର୍ଷ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏବର ତଦନ୍ତ ନିର୍ଦ୍ଦେଶ ହାସ୍ୟାସ୍ପଦ ନୁହେଁ ତ କ’ଣ? ଯଦି ସରକାର ସେଥିରୁ କିଛି ପାଉଛନ୍ତି, କାର୍ଯ୍ୟାନୁଷ୍ଠାନ କରନ୍ତୁ। କିନ୍ତୁ ପ୍ରଶ୍ନ ଉଠୁଛି, ସବୁକଥାର ତଥ୍ୟ ସରକାରଙ୍କ ନିଜ ପାଖରେ ଥିବା ସତ୍ତ୍ବେ ତଦନ୍ତ କାହିଁପାଇଁ? ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତିମାନେ, ଏପରିକି ପୂର୍ବତନ ସାଂସଦମାନେ ବିଦେଶକୁ ଗଲେ ସବୁକିଛି ତଥ୍ୟ କେନ୍ଦ୍ର ପାଖରେ ରହେ। ତେଣୁକରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବା ପୂର୍ବରୁ କେନ୍ଦ୍ରର ଅନୁମତି ଲୋଡ଼ିଥିବାରୁ ସବୁ ତଥ୍ୟ ସରକାରଙ୍କ ପାଖରେ ଉପଲବ୍‌ଧ ଥିବ। ସେଥିପାଇଁ ଏପରି ନିର୍ଦ୍ଦେଶନାମା ଧର୍ମକୁ ଆଖିଠାର ଛଡ଼ା କିଛି ନହେଁ ବୋଲି ଶ୍ରୀ ଦାସ କହିଛନ୍ତି।

ଏହି ଅବସରରେ ଶ୍ରୀ ଦାସ କହିଥିଲେ, ବିଜେପି ସରକାରର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ। ଡବଲ-ଇଂଜିନ ସରକାର ଆଉ ମୁହୂର୍ତ୍ତଟିଏ ମଧ୍ୟ ଶାସନରେ ରହିବା ଲୋକେ ଚାହାନ୍ତି ନାହିଁ। ଏହା ରାଜସ୍ଥାନର ପଂଚାୟତ ନିର୍ବାଚନରୁ ପ୍ରମାଣିତ ହୋଇଛି। ଓଡ଼ିଶାରେ ମଧ୍ୟ ଲୋକେ ବିଜେପି ସରକାରକୁ ହଟେଇବାକୁ ଚାହାନ୍ତି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ କ୍ରମାଗତ ବିଫଳତା ବିରୋଧରେ ୨୬ ନଭେମ୍ବର ଗୁରୁବାର ସମଗ୍ର ରାଜ୍ୟରୁ ଭୁବନେଶ୍ବରକୁ ୧୦ ହଜାରରୁ ଅଧିକ ନେତା ଓ କର୍ମୀ ‘ସମ୍ବିଧାନ ରକ୍ଷା ରାଲି’ରେ ଆସି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ। ଏସ୍‌ଆଇଆର ରଦ୍ଦ, ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ବ୍ୟାଲଟ-ପେପରରେ ନିର୍ବାଚନ, ଏମଏମଡିଆର ସଂଶୋଧନ ପ୍ରତ୍ୟାହାର, ନିତ୍ୟାନନ୍ଦ ଗଣ୍ଡଙ୍କ ବହିଷ୍କାର, ପ୍ରସ୍ତାବିତ ନରାଜ ଡାଟା ସେଣ୍ଟର ବାତିଲ, ମହାନଦୀ-ବାଂଶଧାରା-ପୋଲାଭରମ-ଓ୍ବାଲଟିୟର ରେଳ ଡିଭିଜନ, ପଲାସା ଓ ଇଚ୍ଛାପୁରମ ରେଳ ସେକ୍ସନ ଆଦି ଦାବି ଓ ପ୍ରସଙ୍ଗମାନଙ୍କରେ ଓଡ଼ିଶା ପ୍ରତି ନ୍ୟାୟପ୍ରଦାନ ଦାବିରେ କଂଗ୍ରେସ ନେତା ଓ କର୍ମୀ ଜାଗିଲେଣି ବୋଲି ସେ ପ୍ରକାଶ କରିଥିଲେ। ପ୍ରତି ପଂଚାୟତରୁ ଅନ୍ୟୁନ ୫ଟି ବାଇକ୍ ବାହାରି ଏହି ରାଲିରେ ଯୋଗଦେବାକୁ କର୍ମୀମାନେ ପ୍ରସ୍ତୁତ ହେଲେଣି। ତେଣୁ ୨୬ ନଭେମ୍ବରର ମହାରାଲି ଓଡ଼ିଶାରେ ଆସନ୍ତା ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ ସଦୃଶ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking