ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନୀଳ ଡ୍ରମ ଘଟଣାର ମୁଖ୍ୟ ଅଭିଯୁକ୍ତ ମୁସ୍କାନଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏବେ ସେ ଜେଲରେ ରହିଥିବାବେଳେ ଉପର କୋର୍ଟରେ ଏହି ରାୟକୁ ଚାଲେଞ୍ଜ କରିଛନ୍ତି । ତେବେ ଜେଲରୁ ସେ ତାଙ୍କ ବଡ଼ ଝିଅକୁ ମନେ ପକାଇଛନ୍ତି । ଝିଅକୁ ଦେଖିବାକୁ ବ୍ୟାକୁଳ ହେଉଥିବା ପ୍ରକାଶ କରିଛନ୍ତି । ଚୌଧୁରୀ ଚରଣ ସିଂହ ଜିଲ୍ଲା କାରାଗାରର ଜେଲ ଅଧୀକ୍ଷକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ, ପ୍ରୟାଗରାଜରୁ ଆସିଥିବା ହାଇକୋର୍ଟ ଓକିଲମାନଙ୍କ ଏକ ପ୍ୟାନେଲ୍ ଜେଲରେ ମୁସ୍କାନ ଏବଂ ସାହିଲଙ୍କୁ ଭେଟିଛନ୍ତି ଏବଂ ଉଭୟଙ୍କ ଦଣ୍ଡାଦେଶ ବିରୋଧରେ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଜେଲ ଅଧୀକ୍ଷକଙ୍କ କହିବା ଅନୁଯାୟୀ, ମୁସ୍କାନ ସାପ୍ତାହିକ ପରେଡ୍ ସମୟରେ ଲଗାତାର ନିଜ ବଡ଼ ଝିଅକୁ ଭେଟାଇବା ପାଇଁ ଦାବି କରୁଛନ୍ତି। ମହିଳା ବ୍ୟାରେକରେ ଥିବା ଚିଠି ବାକ୍ସରେ ମଧ୍ୟ ସେ ଏନେଇ ଏକାଧିକ ଚିଠି ପକାଇଛନ୍ତି। ତେବେ ଜେଲ ଅଧୀକ୍ଷକ ସ୍ପଷ୍ଟ କରିଛନ୍ତି ଯେ, ଝିଅ ସହିତ ସାକ୍ଷାତ କରାଇବା ସିଧାସଳଖ ଜେଲ ପ୍ରଶାସନର ଅଧିକାର ପରିସରଭୁକ୍ତ ନୁହେଁ। ଯଦି ପରିବାର ଲୋକ ବା ବର୍ତ୍ତମାନ ଝିଅର ଦାୟିତ୍ୱରେ ଥିବା ବ୍ୟକ୍ତି ତାଙ୍କୁ ଧରି ଜେଲକୁ ଆସନ୍ତି, ତେବେ ଜେଲ ମାନୁଆଲ ନିୟମ ଅନୁଯାୟୀ ଭେଟଘାଟ ବ୍ୟବସ୍ଥା କରାଯିବ। ଏପର୍ଯ୍ୟନ୍ତ କୌଣସି ପରିବାର ସଦସ୍ୟ ଏନେଇ ଯୋଗାଯୋଗ କରିନାହାନ୍ତି। ଏଥିପାଇଁ ମୁସ୍କାନଙ୍କୁ ନିଜ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବାକୁ ପରାମର୍ଶ ଦିଆଯାଇଛି। ପ୍ରୟାଗରାଜରୁ ଆଇନଜୀବୀ ସୁଶୀଲ ଶୁକ୍ଳାଙ୍କ ଜୁନିଅର ପ୍ୟାନେଲର ସଦସ୍ୟ ଆଡଭୋକେଟ ନିଧି ଏବଂ ଆରପି ସିଂହ ଜେଲରେ ପହଞ୍ଚି ମୁସ୍କାନ ଓ ସାହିଲଙ୍କ ସହ ଅଲଗା ଅଲଗା କଥାବାର୍ତ୍ତା କରିଛନ୍ତି। ଜେଲ ଅଧୀକ୍ଷକଙ୍କ ସୂଚନା ମୁତାବକ, ଓକିଲ ଏବଂ ବନ୍ଦୀମାନଙ୍କ ମଧ୍ୟରେ ‘ୱାନ-ଟୁ-ୱାନ’ ଆଲୋଚନା ହୋଇଥିବାରୁ କଥାବାର୍ତ୍ତାର ବିଷୟବସ୍ତୁ ଜେଲ ପ୍ରଶାସନକୁ ଜଣା ନାହିଁ। ଓକିଲମାନଙ୍କ କହିବା ଅନୁଯାୟୀ, ବିଚାର ଚାଲିଥିବା ବେଳେ ସେମାନେ ଜିଲ୍ଲା ଅଦାଲତରେ ଉପସ୍ଥିତ ରହିପାରିନଥିଲେ। ଏବେ ଆଇନଗତ ଆଶ୍ୱସ୍ତି ପାଇଁ ପରବର୍ତ୍ତୀ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଉଭୟଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଛି।










