ଭୁବନେଶ୍ୱର: ଜାତୀୟ ସଂହତିର ପ୍ରତିଷ୍ଠାତା ଓ ଦୃଢ଼ ନେତୃତ୍ୱର କଥା ଯେତେବେଳେ ମନେପଡ଼େ ସେତେବେଳେ ଇନ୍ଦିରା ଗାନ୍ଧୀ ଆମ ମାନସପଟରେ ଉଦ୍ଭାସିତ ହୁଅନ୍ତି । ଭାରତବର୍ଷର ଏକତା, ଅଖଣ୍ଡତା, ସମୃଦ୍ଧି ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ କରିଥିଲେ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ତଥା ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନ, ଅଦମ୍ୟ ସାହସ, ଦେଶପ୍ରେମ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ଭାରତ-ପାକିସ୍ତାନ ଯୁଦ୍ଧ ହେଉ ଅବା ରାଜା-ମହାରାଜାଙ୍କ ହାତପାଣ୍ଠି ଉଚ୍ଛେଦ ହେଉ ଅବା ବ୍ୟାଙ୍କ ଜାତୀୟକରଣ, ଏସବୁ ଥିଲା ତାଙ୍କର ଦୃଢ଼ମନା ଓ ଦୂରଦର୍ଶୀ ନେତୃତ୍ୱର ପରିଭାଷା । ଭାରତବର୍ଷର ଏକତା, ଅଖଣ୍ଡତା, ସମୃଦ୍ଧି ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ ।
ଲେଖକ ସମବାୟ ସମିତିର ସଭାପତି ଶ୍ରୀ ପୀତବାସ ରାଉତରାୟ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ତାଙ୍କ ଶାସନକାଳରେ ଭାରତବର୍ଷର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ବହୁ ଉନ୍ନତି ପରିଲକ୍ଷିତ ହୋଇଥିଲା ବୋଲି ଉଲ୍ଲେଖ କରିଥିଲେ । ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷା ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର କହିଲେ ଯେ ଆଧୁନିକ ଭାରତର ଇତିହାସ ପୃଷ୍ଠା ଯେଉଁ କେତେଜଣ ମହିୟସୀ ନାରୀଙ୍କ ଅବଦାନରେ ଗୌରବାନ୍ୱିତ ହୋଇଛି ସେମାନଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧୀ ଅନ୍ୟତମ । ଭାରତବର୍ଷର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କର ଶାସନକାଳ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପୂର୍ବରୁ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ରାଜ୍ୟସ୍ତରୀୟ ଇନ୍ଦିରାଗାନ୍ଧୀ ସ୍ମୃତି ସମିତିର ସାଧାରଣ ସମ୍ପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଜୟଦେବ ଭବନର ଉଦ୍ଘୋଷିକା ଅନୁସୟା ଜେନା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।










