ଭୁବନେଶ୍ୱର: ବାତ୍ୟା “ଅକଭାନ୍’କୁ ଦୃଷ୍ଟିରେ ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ୍ ଚଳାଚଳରେ ସମ୍ଭାବ୍ୟ ବିପଦ ଏଡ଼ାଇବାକୁ ଅନେକ ଟ୍ରେନ୍ ବାତିଲ୍, ଗତିପଥ ପରିବର୍ତ୍ତନ ଏବଂ ସମୟ ପୁନଃନିର୍ଦ୍ଧାରଣ କରାଯାଇଛି । ନଭେମ୍ବର ୧୯, ୨୦ ଓ ୨୧ ତାରିଖରେ ଚଳାଚଳ କରିବାକୁ ଥିବା ୪୪ଟି ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ୨୯ଟି ଟ୍ରେନ୍ର ଚଳାଚଳ ସମୟ ପୁନଃନିର୍ଦ୍ଧାରଣ କରାଯାଇଛି । ଏଥିସହ ୪ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି ।ସୂଚନାଯୋଗ୍ୟ, ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ, ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ, ଟାଟାନଗର- ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି । ଏଥିସହ ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ର ନିର୍ଦ୍ଧାରିତ ଗତିପଥ ବଦଳରେ ବିଜୟନଗରମ-ରାୟଗଡ଼ା-ଟିଟିଲାଗଡ଼ ସମ୍ବଲପୁର ମାର୍ଗରେ ଚଳାଚଳ କରିବ ।
ସେହିପରି ତିନୋଟି ଦୂରଗାମୀ ଏକ୍ସପ୍ରେସ୍ କନ୍ୟାକୁମାରୀ-ଦେବ୍ରିଗଡ଼ ବିବେକ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସ ଏବଂ ସିକନ୍ଦରାବାଦ- ହାୱଡ଼ା ଫଲକ୍ନୁମା ଏକ୍ସପ୍ରେସ ମଧ୍ୟ ବିକଳ୍ପ ଗତିପଥ ଦେଇ ଯାତ୍ରା କରିବ । ବାତିଲ୍ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରେ ବିଭିନ୍ନ ଦୂରଗାମୀ ଏକ୍ସପ୍ରେସ୍, ବନ୍ଦେ ଭାରତ, ପାସେଞ୍ଜର ଏବଂ ମେମୁ ଟ୍ରେନ୍ ରହିଛି । ଏହି ଟ୍ରେନ୍ଗୁଡ଼ିକ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସଂଯୋଗ କରୁଛି । ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରକୁ ଯାତାୟାତ କରୁଥିବା ଅନେକ ଟ୍ରେନ୍ ଏହାଦ୍ୱାରା ପ୍ରଭାବିତ ହୋଇଛି ।










