ଭୁବନେଶ୍ୱର : ମୋଡ଼ ନେଉଛି ‘ଅକଭାନ୍’। ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ଅକ୍ଭାନ୍’। ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଇଏମଡି। ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଯାହା ଆନ୍ଧ୍ରର ନରସାପୁରଠାରୁ ୪୪୦ କିମି ଦକ୍ଷିଣପୂର୍ବ, କଳିଙ୍ଗପଟ୍ଟନମ୍ଠାରୁ ୪୪୦ କିମି, ଓଡ଼ିଶାର ଗୋପାଳପୁରଠାରୁ ୫୩୦ କିମି ଓ ପୁରୀଠାରୁ ୫୯୦ କିମି ଦକ୍ଷିଣରେ ଅବସ୍ଥିତ ଅଛି । ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି ବାତ୍ୟା। ଯାହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ପୁରୀ ମଧ୍ୟରେ, ଗୋପାଳପୁରର ପୂର୍ବ ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ। ଯଦିଓ ପ୍ରକୃତ ସ୍ଥାନ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।










