ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଛୁଟି ନେଇପାରିବେ ନାହିଁ। ଏଥିସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ଏହି ସମୟରେ କୌଣସି କର୍ମଚାରୀ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ଜରୁରୀ କାର୍ଯ୍ୟରେ ମୁଖ୍ୟାଳୟ ଛାଡ଼ିବାକୁ ହେଲେ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ।
ସେହିପରି ପୂର୍ବରୁ ଛୁଟି ନେଇଥିବା କିମ୍ବା ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ପାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ଅନୁମତି ମଧ୍ୟ ବାତିଲ କରାଯାଇଛି। ସେମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିରେ ପ୍ରଶାସନିକ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଏହାର ଉଦ୍ଦେଶ୍ୟ।










