28.1 C
Bhubaneswar
Sunday, November 15, 2026
Homeଓଡିଶାରାଜ୍ୟର ଆବାସ ହିତାଧିକାରୀଙ୍କୁ ପ୍ରତାରିତ କରିଛନ୍ତି କେନ୍ଦ୍ର ସରକାର: ବିଜେଡି

ରାଜ୍ୟର ଆବାସ ହିତାଧିକାରୀଙ୍କୁ ପ୍ରତାରିତ କରିଛନ୍ତି କେନ୍ଦ୍ର ସରକାର: ବିଜେଡି

 ନିଜ ବିଫଳତା ଲୁଚାଇବାକୁ ଆବାସ ଯୋଜନାକୁ ରାଜନୈତିକ ହତିଆର କରିଛି ଡବଲ ଇଞ୍ଜିନ ସରକାର
 ୨୮ଲକ୍ଷରୁ ଉଦ୍ଧ୍ୱର୍ ଯୋଗ୍ୟଙ୍କ ମଧ୍ୟରୁ କେବଳ ୫ଲକ୍ଷ ହିତାଧିକାରୀଙ୍କୁ ଆବାସ ଆବଣ୍ଟନ
 ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରଦେଶରେ ଆବାସ ଗୃହକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ବିଜେପି ସରକାରଙ୍କ ପ୍ରତିକ୍ରିୟା ଭିତ୍ତିହୀନ । ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରେସ ବିବୃତ୍ତି ଜରିଆରେ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ, ବିଜେପି ପକ୍ଷରୁ ଯେଉଁ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି ତାହା ହାସ୍ୟସ୍ପଦ । ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାରରେ ପ୍ରତି ବର୍ଗର ଲୋକେ ଉପେକ୍ଷିତ ହେଉଛନ୍ତି । ତାହା ଜାଣିବା ପରେ ନିଜ ଦୋଷକୁ ଲୁଚାଇବା ପାଇଁ ଭିତ୍ତିହୀନ ପ୍ରତିକ୍ରିୟା ପ୍ରଦାନ କରୁଛନ୍ତି । ବିଜେଡି ଶାସନ କାଳରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୮ଲକ୍ଷରୁ ଉଦ୍ଧ୍ୱର୍ ଆବାସ ଗୃହ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି । ତେବେ ଉକ୍ତ ୨୮ଲକ୍ଷ ଉଦ୍ଧ୍ୱର୍ ଆବାସ ଗୃହରେ ରାଜ୍ୟ ସରକାରଙ୍କ ମଧ୍ୟ ୫୦ ପ୍ରତିଶତ ଅନୁଦାନ ରହିଥିଲା । କାରଣ ଆବାସ ଗୃହ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ଅନୁଦାନ ରହିଥାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ଆର୍ଥିକ ଅଭିବୃଦ୍ଧି ହୋଇଥିଲା । ଯାହା ଫଳରେ ବିଜେଡି ଶାସନ କାଳରେ ଅନେକ ଲୋକଙ୍କ ମୁଣ୍ଡକୁ ଛାତ ଯୋଗାଇ ପାରିଥିଲେ । ଅନ୍ୟ ରାଜ୍ୟ ମାନେ ଆବାସ ଗୃହ ଅନୁଦାନ ରାଶି ଦେବାରେ ଅସମର୍ଥ ଥିବା ବେଳେ ଓଡ଼ିଶା ସେଥିରେ ଅଗ୍ରଣୀ ରହିଥିଲା । ପ୍ରତିଟି ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେଇଥିଲା ।

କେନ୍ଦ୍ର ସରକାରଙ୍କ କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ବଲାଙ୍ଗୀର ଗସ୍ତ ଅବସରରେ ଆବାସ ଯୋଜନାକୁ ନେଇ ବିଜେଡି ସରକାର ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଯାହାକି କୌଣସି ତଥ୍ୟ ଭିତ୍ତିକ ନୁହେଁ । ବିଜେଡିକୁ ଆକ୍ଷେପ କରି ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ କରି ସମ୍ପୂର୍ଣ୍ଣ ଭିତ୍ତିହୀନ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ନିଜ ବକ୍ତବ୍ୟରେ କହିଥିଲେ ଯେ ଉକ୍ତ ଆବାସ ଯୋଜନା କାର୍ଯ୍ୟକ୍ରମ ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ । ଯାହାକି ରାଜନୈତିକ ଉଦେ୍ଦଶ୍ୟ ବୋଲି ପ୍ରମାଣିତ କରୁଛି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ଯେଉଁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ତାହା ପୂରଣ କରିବାରେ ଅସମର୍ଥ ହୋଇଛନ୍ତି । ତାହା ବିଜେପି ନେତାଙ୍କୁ ଦେଖା ଯାଉନାହିଁ । ନିଜ ବିଫଳତା ଲୁଚାଇବାକୁ ବିଜେଡିକୁ ଆକ୍ଷେପ କରି କହୁଛନ୍ତି । ବିଜେଡି ଶାସନ କାଳରେ ଗତ ୨୦୨୨-୨୩ ମସିହାରେ ୯,୩୯,୦୦୦ ହିତାଧିକାରୀଙ୍କୁ ଆବାସ ଗୃହ ଆବଣ୍ଟନ କରାଯାଇଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ସେତେ ପରିମାଣର ଆବାସ ଗୃହ ମିଳୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରୁ ୨୮,୨୮,୦୦୦ ଜଣ ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାକୁ ୫,୦୦,୦୦୦ ଗୃହ ଆବଣ୍ଟନ କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଆନ୍ଧ୍ର ପ୍ରଦେଶକୁ ଅଧିକ ପ୍ରାଧାନ୍ୟ ଦେଇ ଅନୁଦାନ ପ୍ରଦାନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ୩,୨୧,୦୦୦ ଜଣ ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କେନ୍ଦ୍ର ସରକାର ୩,୦୦,୦୦୦ ଆବାସ ଗୃହ ଆବଣ୍ଟନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ଆବାସ ଗୃହ ଆବଣ୍ଟନକୁ ତୁଳନାକୁ ନେଲେ ଓଡ଼ିଶାକୁ ୨୬,୪୨,୯୯୦ ଗୃହ ପ୍ରଦାନ କରିବା କଥା, କିନ୍ତୁ ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ଲଲିପପ୍ ଧରାଇ କେବଳ ୫,୦୦,୦୦୦ ଗୃହ ଆବଣ୍ଟନ କରିଲେ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବାକୁ ପ୍ରମାଣ କରୁଛି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଉପହାସିତ କରିଛନ୍ତି । ଗତ ୨୧ ଜୁଲାଇରେ ସଂସଦରେ କେନ୍ଦ୍ର ମନ୍ତ୍ରୀ ଆବାସ ଯୋଜନା ଗୃହ ନେଇ ଅର୍ଥ ପ୍ରଦାନ ସମ୍ପର୍କିତ ଉତ୍ତର ଉପସ୍ଥାପିତ କରିଥିଲେ । ମହାରାଷ୍ଟ୍ରରେ ୧୦,୧୦୧କୋଟି, ମଧ୍ୟପ୍ରଦେଶରେ ୭,୨୬୯ କୋଟି, କର୍ଣ୍ଣାଟକରେ ୪,୬୫୩ କୋଟି, ଆସାମରେ ୪,୭୬୧ କୋଟି ପ୍ରଦାନ ପାଇଁ ନିର୍ଦ୍ଧାରଣ ହୋଇଥିବା ବେଳେ ଓଡ଼ିଶାକୁ ମାତ୍ର ୬୩୧କୋଟି ଟଙ୍କା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଛନ୍ତି । ଯାହାକି ଓଡ଼ିଶାବାସୀଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ କେଉଁ ପ୍ରକାର ଦରଦ ରହିଛି ବୋଲି ପ୍ରମାଣିତ କରୁଛି ।

ବିଜେଡି ସରକାରଙ୍କ ସମୟର ବିଜୁ ପକ୍କା ଘର ଯୋଜନାକୁ ବିଜେପି ସରକାର ରଙ୍ଗ ବଦଳାଇ ଅନ୍ତୋଦୟ ଗୃହ ଯୋଜନା କରିଛନ୍ତି । ସେଥିରେ ମଧ୍ୟ ବିଜେପି ସରକାର ମିଛ ଡିଣ୍ଡିମ ପିଟିବାରେ ବ୍ୟସ୍ତ ରହିଛନ୍ତି । ଉକ୍ତ ଯୋଜନାର ଯୋଗ୍ୟ ବିବେଚିତ ହେବାକୁ ରାଜ୍ୟ ସରକାର ୧୨ଟି ମାନଦଣ୍ଡ କରିଛନ୍ତି । କିନ୍ତୁ ଓଡ଼ିଶାରେ ତାହାକୁ ବିଜେପି ସରକାର ଅନୁପାଳନ କରି ନାହିଁ । ମାନଦଣ୍ଡ ଉଲ୍ଲଘଂନ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହ ଆବଣ୍ଟନ କରିଛନ୍ତି । ଦଳୀୟ ତୁଷ୍ଟିକରଣ ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଜୋର ଜବରଦସ୍ତ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ କରାଯାଇଛି । ତେବେ କେନ୍ଦ୍ରମନ୍ତ୍ରୀ ଭିତ୍ତିହୀନ ମନ୍ତବ୍ୟ ଉପସ୍ଥାପନ ନକରି ରାଜ୍ୟର ହକ୍ ପ୍ରଦାନ କରନ୍ତୁ । ଆକଳନ୍ ହୋଇଥିବା ରାଜ୍ୟର ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ତାଙ୍କ ହକ୍ ଆବାସ ଗୃହ ତୁରନ୍ତ ଆବଣ୍ଟନ କରନ୍ତୁ । ଏଥି ସହିତ ରାଜ୍ୟକୁ ଅର୍ଥ ଅନୁଦାନ ମଞ୍ଜୁର କରିବା ସହ ଘୋଟାଲା ରୋକିବା ପାଇଁ ଅନ୍ତୋଦୟ ଯୋଜନାର ହିତାଧିକାରୀ ମାନଙ୍କ ନାମ ସାର୍ବଜନୀନ କରାଯାଉ ବୋଲି ଶ୍ରୀ ମିଶ୍ର ଦାବି ଉପସ୍ଥାପନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking