ଭୁବନେଶ୍ୱର: ଶିକ୍ଷକ ସମାଜର କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଉଚ୍ଚ ଶିକ୍ଷାବିଭାଗର ସୁଦୃଢ଼ୀକରଣ ପାଇଁ ନିଆଯାଇଥିବା ଏହି ଜନକଲ୍ୟାଣକାରୀ, ଦୂରଦୃଷ୍ଟିସମ୍ପନ୍ନ ଓ ସାହସିକ ପଦକ୍ଷେପ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଶିକ୍ଷା ଗୋଟିଏ ସମାଜକୁ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶିକ୍ଷା କ୍ଷେତ୍ରରେ ଶିକ୍ଷକମାନେ ନୂତନ ଭବିଷ୍ୟତ ଗଢିଥାନ୍ତି । ଦୀର୍ଘଦିନ ହେଲା ସେହି ଶିକ୍ଷକମାନେ ତାଙ୍କର ନାର୍ଯ୍ୟ ଦାବିକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଥିଲେ ଏହାଦ୍ୱାରା ବିଦ୍ୟାଳୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିଲା । ସେହି କାରଣରୁ ଶିକ୍ଷକ ଓ ଅଧ୍ୟାପକମାନଙ୍କ ଦାବୀ, ସମସ୍ୟା ପ୍ରତି ଆମ ସରକାର ତଥା ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ସମ୍ବେଦନଶୀଳ । ଆମ ସରକାର ତ୍ୱରିତ ପଦକ୍ଷେପ ନେଇ ଏକ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ଗଠନ କରିଥିଲେ । ଉକ୍ତ କମିଟି ୧୦୪ଟି ଶିକ୍ଷକ ସଂଗଠନର ପ୍ରତିନିଧିମାନଙ୍କ ସହ ପ୍ରାୟ ୯୦ଟି ବୈଠକ କରି ଗତ ସେପ୍ଟେମ୍ବର ୨୨, ୨୦୨୬ ସୁଦ୍ଧା ରାଜ୍ୟସରକାରଙ୍କୁ ମୋଟ ୭୯ଟି ରିପୋର୍ଟ ପ୍ରଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଓ ଗଣଶିକ୍ଷାମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ସଚିବ ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗୀୟ ସଚିବମାନଙ୍କ ନିକଟରେ ଉକ୍ତକମିଟି ଏହି ରିପୋର୍ଟ ଉପସ୍ଥାପିତ କରିଥିଲେ ।
ଆମ ସରକାର ଶାସନକୁ ଆସିବା ପରଠାରୁ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ, ପ୍ରଗତିଶୀଳ କରିବା ପାଇଁ ଏବଂ ଶିକ୍ଷାକ୍ଷେତ୍ରର ସାମଗ୍ରିକ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇ ଆସୁଛନ୍ତି । “କଥା ଦେଇ ପୁଣି କଥା ରଖିଲେ ମୋହନ ସରକାର” । ଏହି ପରିପ୍ରେକ୍ଷୀରେ ଗତ କାଲି ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ୱରୂପ ଉଚ୍ଚସ୍ତରୀୟ କ୍ଷମତାସମ୍ପନ୍ନ କମିଟିର ୧୫ଗୋଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଐତିହାସିକ ନିଷ୍ପତି ନେଇଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଗତିଶୀଳ ଏବଂ ଗୁଣାତ୍ମକ କରିବା ସହିତ ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ଅଶୋକ କୁମାର ତ୍ରିପାଠୀ କମିଟିର ସୁପାରିଶକୁ ଆଧାର କରି ରାଜ୍ୟ ସରକାର ଯେପରି ଭାବରେ ଏକକାଳୀନ ୧୫ଗୋଟି ଗୁରୁତ୍ୱପୂର୍ଣ୍ଣ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି, ତାହା ରାଜ୍ୟର ଶିକ୍ଷାକ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ମାଧ୍ୟମରେ ୨୦୧୩ରେ ସରକାରୀ ବ୍ଲକ ଗ୍ରାଂଟ ଅନୁଦାନରୁ ବଂଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟ ଅନୁଦାନଭୁକ୍ତ ହେବା, ପାର୍ଟ-ଟାଇମ୍କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ୬୦ ପ୍ରତିଶତ ବୃଦ୍ଧି କରି ୧୦,୦୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ପ୍ରାଥମିକ ଶିକ୍ଷକମାନଙ୍କର ବହୁ ଦିନର ନିୟମିତ ପଦୋନ୍ନତି ଦାବୀକୁ ସରକାର ପୂରଣ କରି ୪ବର୍ଷ, ୮ବର୍ଷରେ ନିୟମିତ ପଦୋନ୍ନତି ଓ ଯୋଗ୍ୟ ଶିକ୍ଷକମାନଙ୍କୁ ବିଇଓ ଓ ଡିଇଓ ପର୍ଯ୍ୟନ୍ତ ପଦୋନ୍ନତିର ସୁଯୋଗ ସୃଷ୍ଟି କରିବା ଯୋଗୁଁ ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ଉପକୃତ ହେବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି ।
୨୦୧୬ରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକ ନିୟମିତ କରିବା, ପ୍ରଥମ ଓ ମଧ୍ୟମା ସଂସ୍କୃତ ଟୋଲ୍ ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତ କରିବା, ସରକାରୀ ବିଦ୍ୟାଳୟରେ ଚାକିରୀ କରିଥିବା କ୍ଲାସିକାଲ ଶିକ୍ଷକମାନଙ୍କୁ ଟ୍ରେଣ୍ଡ ଗ୍ରାଜ୍ୟୁଏଟ୍ (ଟିଜି) ଶିକ୍ଷକ ଯୋଗ୍ୟତା ସାରଣୀରେ ଅନ୍ତର୍ଭୁକ୍ତ କରିବା, ଧନ୍ଦାମୂଳକ ପ୍ରଶିକ୍ଷକକୁ ନିୟମିତ ଭାବରେ ବେତନ ପ୍ରଦାନ କରିବା, ଓଡିଶା କନିଷ୍ଠ ଶିକ୍ଷକ (ସ୍କିମାଟିକ)କୁ ଅଧିକ ଯୋଗ୍ୟତା ହାସଲ କରିବାକୁ ସୁଯୋଗ ଦେବା ଏବଂ ୨୦୨୨ ମସିହାରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକମାନଙ୍କୁ ବକେୟା ଦରମା ପ୍ରଦାନ କରିବା ନିଷ୍ପତି ଅତ୍ୟନ୍ତ ପ୍ରଶଂସନୀୟ । ସେହିପରି ଆଦର୍ଶ ବିଦ୍ୟାଳୟଗୁଡ଼ିକର ଆବାସିକ ଛାତ୍ରାବାସକୁ କାର୍ଯ୍ୟକ୍ଷମ କରିବା, ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ନିୟମିତ ଦରମା ପାଇବାର ବ୍ୟବସ୍ଥା କରିବା, ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ଟିଜିଟି ଶିକ୍ଷକମାନଙ୍କର ପୂର୍ବ ଚାକିରୀର ଗଣତି ଓ ବେତନର ସୁରକ୍ଷା କରିବା, ଆଦର୍ଶ ବିଦ୍ୟାଳୟ କର୍ମଚାରୀମାନଙ୍କର ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢିବା ପାଇଁ ବ୍ୟବସ୍ଥା କରିବା, ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତୋପଯୋଗୀ କରି ଗଢ଼ି ତୋଳିବା ପାଇଁ ଓ ଜକ୍ଟଭକ୍ଟଗ୍ଧସମଗ୍ଦ ପରୀକ୍ଷାଗାର ଖୋଲିବା ନିଷ୍ପତି ଓଡିଶାର ଭବିଷ୍ୟତ ନାଗରିକ ଗଠନ ପାଇଁ ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମଲ୍ଲିକ ଓ ପ୍ରବକ୍ତା ଶ୍ରୀ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।










