ଭୁବନେଶ୍ୱର: ଆଦିବାସି ମୁଖ୍ଯମନ୍ତ୍ରୀ ଥାଇ ମଧ୍ୟ ଓଡ଼ିଶାରେ ଆଦିବାସି ସଂପ୍ରଦାୟ ବାରମ୍ୱାର ଶୋଷଣ ଓ ନିର୍ଯ୍ୟାତନା ଶିକାର ହେଉଛି। ଯାହା ଫଳରେ ରାଜ୍ୟରେ ଗତ ଅଢେଇ ବର୍ଷର ବିଜେପି ସରକାରଙ୍କ ଶାସନ କାଳରେ ଆଦିବାସି ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କେନ୍ଦୁଝର ଜିଲ୍ଲାରେ ଆଦିବାସି ଆକ୍ରମଣ ଘଟଣା ପରେ ସୁନ୍ଦରଗଡ ଜିଲ୍ଲାରେ ଏହି ଘଟଣାର ପୁନରାବୃତ୍ତି ହୋଇଛି। ନିରୀହ ଆଦିବାସୀ ଚାଷୀ ପାତୁ ମୁଣ୍ଡାଙ୍କୁ ଗୋରକ୍ଷକ ସାଜିଥିବା ବଜରଙ୍ଗ ଦଳ ଗୁଣ୍ଡା ମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଆଦିବାସି ସେଲ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ଡ ନିରଞ୍ଜନ ବିଶି, ବିଧାୟକ ଶ୍ରୀ ଯୋଗେଶ ସିଂ, ବିଧାୟକ ଶ୍ରୀ ରୋହିତ ଯୋସେପ ତିର୍କୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଡ ପ୍ରିୟବ୍ରତ ମାଝୀ ଓ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମର ପରିଦର୍ଶନ କରିଥିଲେ। ଆକ୍ରମଣ ଶିକାର ଆଦିବାସୀ ଯୁବକ ପାତୁ ମୁଣ୍ଡାଙ୍କୁ ଭେଟି ଆଲୋଚନା କରିଥିଲେ। ପାତୁ ମୁଣ୍ଡା ଗୋରୁ ଧରି ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ନିଜକୁ ଗୋରକ୍ଷକ କହୁଥିବା କେତେକ ବଜରଙ୍ଗ ଦଳ ସହ ଜଡ଼ିତ ଯୁବକ ମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପାତୁ ମୁଣ୍ଡା ଆହତ ହୋଇ କେ.ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ରାଉରକେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଲା ନାହିଁ। ଆକ୍ରମକାରୀ ଅଭିଯୁକ୍ତ ମାନଙ୍କୁ ଗିରଫ କରିଲା ନାହିଁ। ଗୋରକ୍ଷା ନାମରେ ବର୍ବରତା ଘଟାଇ ଆଦିବାସି ମାନଙ୍କୁ ଆକ୍ରମଣ ପରେ ବି ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ବିଜେଡି ପ୍ରତିନିଧି ଦଳ ପାତୁ ମୁଣ୍ଡାଙ୍କୁ ଭେଟି ଆକ୍ରମଣ ଅଭିଯୋଗର ଅନୁଧ୍ୟାନ କରିଛନ୍ତି। ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିଥିଲେ ଏବଂ ସ୍ଥାନୀୟ ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅଭିଯୋଗକୁ ନେଇ ପ୍ରତିନିଧି ଦଳ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଆଦିବାସୀ ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି। ପ୍ରତିନିଧି ଦଳ ରାଉରକେଲା ଡିଆଇଜି ବ୍ରିଜେଶ ରାୟଙ୍କୁ ଭେଟି ଆଲୋଚନା କରିଛନ୍ତି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।










