ନୂଆଦିଲ୍ଲୀ: ଆମେରିକାରେ ହଠାତ୍ ବିମାନ ଚଳାଚଳରେ ବଡ଼ ବିଭ୍ରାଟ । ଆକାଶରେ ଉଡ଼ିବାକୁ ପ୍ରସ୍ତୁତ ଥିବା ବିମାନଗୁଡ଼ିକର ଉଡ଼ାଣ ଉପରେ ଲାଗିଲା ଅଚାନକ ରୋକ୍ । ବିଭିନ୍ନ ବିମାନବନ୍ଦରରେ ହଜାର ହଜାର ଯାତ୍ରୀ ଫସି ରହିବା ସହ ଦେଖାଦେଇଛି ଅଚଳାବସ୍ଥା । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବ୍ୟବସ୍ଥାରେ ଯୋଗାଯୋଗଜନିତ ସମସ୍ୟା ଦେଖାଦେବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଦେଶବ୍ୟାପୀ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଥିଲା ।
ନଭେମ୍ବର ୧୩ ଶୁକ୍ରବାର ଅପରାହ୍ନରେ ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଥିଲା । FAA ପକ୍ଷରୁ କୁହାଯାଇଥିଲା ଯେ, ଦେଶର ବିଭିନ୍ନ ଏୟାର ରୁଟ୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସେଣ୍ଟର୍ଗୁଡ଼ିକ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହାର କାରଣ ଖୋଜିବା ସହ ସମସ୍ୟାର ସମାଧାନ ପାଇଁ FAAର ବୈଷୟିକ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଥିବା ସମୟରେ ବିମାନ ଚଳାଚଳ ଜାରି ରଖିବା ବିପଦପୂର୍ଣ୍ଣ ହୋଇପାରେ। ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ସମସ୍ତ ବିମାନବନ୍ଦରରୁ ଉଡ଼ାଣ ଉପରେ ରୋକ୍ ଲଗାଯାଇଥିଲା ।
ଏହାର ପ୍ରଭାବ ବୋଷ୍ଟନ୍ ସମେତ ଆମେରିକାର ବିଭିନ୍ନ ପ୍ରମୁଖ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ହଠାତ୍ ଉଡ଼ାଣ ବନ୍ଦ ହେବାରୁ ବିମାନବନ୍ଦରଗୁଡ଼ିକରେ ଯାତ୍ରୀଙ୍କ ଭିଡ଼ ବଢ଼ିଥିବା ପରିଲକ୍ଷିତ ହୋଇଛି । ଅନେକ ବିମାନ ବାତିଲ୍ ହେବା ସହ ଅନ୍ୟାନ୍ୟ ବିମାନର ଯାତ୍ରା ସମୟ ମଧ୍ୟ ପ୍ରଭାବିତ ହୋଇଛି । ଏହି ବିଭ୍ରାଟର ପ୍ରଭାବ କେତେ ଗମ୍ଭୀର, ତାହା ବିମାନ ଚଳାଚଳର ପରିସଂଖ୍ୟାନରୁ ଅନୁମାନ କରିହେବ । ଫ୍ଲାଇଟ୍ ଟ୍ରାକିଂ ସଂସ୍ଥାର ତଥ୍ୟ ଅନୁସାରେ, ଶୁକ୍ରବାର ପ୍ରାୟ ୧୧ ହଜାରରୁ ଅଧିକ ବିମାନର ଉଡ଼ାଣ ବାତିଲ୍ ହୋଇଥିବାବେଳେ ପ୍ରାୟ ୧୦ ହଜାର ବିମାନ ବିଳମ୍ବିତ ହୋଇଥିଲା । ଏହାର ପ୍ରଭାବ ପରଦିନର ବିମାନ ସୂଚୀ ଉପରେ ମଧ୍ୟ ପଡ଼ିବା ଆଶଙ୍କା କରାଯାଇଥିଲା ।










