26.1 C
Bhubaneswar
Thursday, November 12, 2026
Homeଓଡିଶାଆସନ୍ତା ନଭେମ୍ବର ୨୩-୨୪, ୨୦୨୬ ରେ ବାଲିଠାରେ ଅନୁଷ୍ଠିତ ହେବ ‘ଓଡ଼ିଶା ପରବ

ଆସନ୍ତା ନଭେମ୍ବର ୨୩-୨୪, ୨୦୨୬ ରେ ବାଲିଠାରେ ଅନୁଷ୍ଠିତ ହେବ ‘ଓଡ଼ିଶା ପରବ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ଏବଂ ଦାୟିତ୍ୱଶୀଳ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବାର ରଣନୈତିକ ପ୍ରାଥମିକତା ଏବଂ ଏକ ବ୍ୟାପକ ରୋଡମ୍ୟାପ୍ ଉପରେ ବିଚାରବିମର୍ଶ କରିବା ପାଇଁ ଆଜି ପର୍ଯ୍ୟଟନ ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ରାଜ୍ୟ ପର୍ଯ୍ୟଟନ ପରାମର୍ଶଦାତା ପରିଷଦ (STAC) ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି।

ପରିଷଦକୁ ସମ୍ବୋଧିତ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ‘ବିକଶିତ ଓଡ଼ିଶା ୨୦୩୬’ ର ଲକ୍ଷ୍ୟ ହାସଲ ଏବଂ ଜାତୀୟ ଲକ୍ଷ୍ୟ ‘ବିକଶିତ ଭାରତ ୨୦୪୭’ ରେ ଯୋଗଦାନ କ୍ଷେତ୍ରରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନ ସମ୍ଭାବନା—ଯଥା ଐତିହାସିକ ଓ ଆଧ୍ୟାତ୍ମିକ ଐତିହ୍ୟ, ବେଳାଭୂମି, ବୌଦ୍ଧ କୀର୍ତ୍ତିରାଜି, ଜୈବ ବିବିଧତା, ଜନଜାତି ପରମ୍ପରା, ହସ୍ତଶିଳ୍ପ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ଉଲ୍ଲେଖ କରି ସେ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଜୀବିକା ସୁଦୃଢ଼ୀକରଣ ଏବଂ ରାଜ୍ୟର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କ୍ଷେତ୍ରର ସୁଦୃଢ଼ୀକରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶାର ପର୍ଯ୍ୟଟନ ପରିବେଶକୁ ସୁଦୃଢ଼ କରିବା ପାଇଁ ପ୍ରମୁଖ ପ୍ରାଥମିକତାଗୁଡ଼ିକ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ଇକୋ-ଟୁରିଜିମ୍, ଐତିହ୍ୟ ଓ ଧାର୍ମିକ ପର୍ଯ୍ୟଟନ, ସାହସିକ ପର୍ଯ୍ୟଟନ (Adventure Tourism), MICE ପର୍ଯ୍ୟଟନ, ଡେଷ୍ଟିନେସନ୍ ୱେଡିଂ ଏବଂ ନୂତନ ପର୍ଯ୍ୟଟନ ସର୍କିଟ୍ ମାଧ୍ୟମରେ ପର୍ଯ୍ୟଟନ ଅଭିଜ୍ଞତାରେ ବିବିଧତା ଆଣିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ଏକ ‘ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ’ ଗଠନ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଭିତ୍ତିଭୂମି ଓ ମୌଳିକ ସୁବିଧାର ଉନ୍ନତିକରଣ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ରହଣି ସୁବିଧା, ପର୍ଯ୍ୟଟକଙ୍କ ସୁରକ୍ଷା, ପରିମଳ ଏବଂ କୁଶଳୀ ମାନବ ସମ୍ବଳ ବିକାଶ ଆଦି ବିଷୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।

ଆନ୍ତଃ-ବିଭାଗୀୟ ସମନ୍ୱୟ ଏବଂ କୋଠା ନିର୍ମାଣ ଅନୁମତି, ଅଗ୍ନିଶମ ଏନ୍‌ଓସି (Fire NOC), ଲାଇସେନ୍ସ ଓ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରୀ ପ୍ରକ୍ରିୟାକୁ ସରଳୀକରଣ କରି ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେବା ଉପରେ ପରିଷଦରେ ଆଲୋଚନା କରାଯାଇଥିଲା। ଏହି କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସୁଦୃଢ଼ ସରକାରୀ-ଘରୋଇ ଭାଗିଦାରୀ (PPP) ଏବଂ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରର ଅଂଶୀଦାରମାନଙ୍କ ଅଧିକ ଅଂଶଗ୍ରହଣର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ଏହି ବୈଠକରେ ଓଡ଼ିଶାର ଅନ୍ତର୍ଜାତୀୟ ପର୍ଯ୍ୟଟନ ପ୍ରଚାର ଅଭିଯାନ, ବିଶେଷକରି ଆସନ୍ତା ନଭେମ୍ବର ୨୩ ଏବଂ ୨୪, ୨୦୨୬ ରେ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ପରବ’ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ, ଖାଦ୍ୟପେୟ ଏବଂ ବିବିଧ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶିତ କରିବା ସହିତ ରାଜ୍ୟର ବିଶ୍ୱସ୍ତରୀୟ ପର୍ଯ୍ୟଟନ ପରିଚୟକୁ ବୃଦ୍ଧି କରିବା ପାଇଁ ଏକ ଅନ୍ତର୍ଜାତୀୟ ମଞ୍ଚ ପ୍ରଦାନ କରିବ ବୋଲି ବିଭାଗୀୟ ଅଧିକାରୀ ମତ ପ୍ରକାଶ କରିଛନ୍ତି।

‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ (Think India, Think Odisha) ଦୃଷ୍ଟିକୋଣ ସହ ସମନ୍ୱୟ ରଖି ନୀତିଗତ ମାର୍ଗଦର୍ଶନ, ଅଂଶୀଦାରମାନଙ୍କ ସହ ପରାମର୍ଶ, କାର୍ଯ୍ୟକାରୀତା ଏବଂ ପର୍ଯ୍ୟଟନ ପଦକ୍ଷେପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ପାଇଁ ଏକ ପ୍ରଭାବଶାଳୀ ସାଂସ୍ଥାନିକ ବ୍ୟବସ୍ଥା ଭାବେ STAC ର ଭୂମିକାକୁ ସୁଦୃଢ଼ କରିବା ଉପରେ ମଧ୍ୟ ବିଚାରବିମର୍ଶ କରାଯାଇଥିଲା।

ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବଳୱନ୍ତ ସିଂହ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ବିଭାଗର ଭିଜନ୍ ଡକ୍ୟୁମେଣ୍ଟ ଏବଂ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ରଣନୈତିକ ଦିଗଦର୍ଶନ ସମ୍ପର୍କରେ ସୂଚନା ଦେଇଥିଲେ। ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଲିପ୍ସା ଦାସ, HRAO ଅଧ୍ୟକ୍ଷ ଶ୍ରୀ ଜେ. କେ. ମହାନ୍ତି, OTDC ମହାପ୍ରବନ୍ଧକ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ଏବଂ ଅତିରିକ୍ତ ସଚିବ ଡଃ ରୁଦ୍ର ନାରାୟଣ ଦାସଙ୍କ ସମେତ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରର ବିଶିଷ୍ଟ ପ୍ରତିନିଧିମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶାର ପର୍ଯ୍ୟଟନ ପରିବେଶକୁ ସୁଦୃଢ଼ କରିବା ଦିଗରେ ନିଜ ନିଜର ମତାମତ ରଖିଥିଲେ।

STAC ର ଏହି ପ୍ରଥମ ବୈଠକ ଓଡ଼ିଶାରେ ନିରନ୍ତର, ସାମଗ୍ରିକ ଏବଂ ପୁଞ୍ଜିନିବେଶ-ଆଧାରିତ ପର୍ଯ୍ୟଟନ ବିକାଶ ପାଇଁ ଅଂଶୀଦାରମାନଙ୍କ ସମ୍ପୃକ୍ତିକୁ ସାଂସ୍ଥାନିକ ରୂପ ଦେବା ଏବଂ ସମନ୍ୱିତ ପ୍ରୟାସକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking