ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ‘ୱେ-ସାଇଡ୍ ଆମେନିଟି ସେଣ୍ଟର’ (ପଥପାର୍ଶ୍ୱ ସୁବିଧା କେନ୍ଦ୍ର) ଗୁଡ଼ିକର କାର୍ଯ୍ୟକାରିତା ଏବଂ ଉନ୍ନତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।
ରାଜ୍ୟ ସରକାର ପ୍ରାୟ ୨୫କୋଟି ବିନିଯୋଗ କରି ୨୫ଟି ଜିଲ୍ଲାରେ ମୋଟ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର ବିକଶିତ ଓ କାର୍ଯ୍ୟକ୍ଷମ କରିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ଏବଂ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମସ୍ତ ୬୮ଟି କେନ୍ଦ୍ରର ମରାମତି, ପୁନରୁଦ୍ଧାର ଏବଂ ଆଧୁନିକୀକରଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ସଦସ୍ୟାମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ମତବିନିମୟ କାର୍ଯ୍ୟକ୍ରମରେ ସଦସ୍ୟାମାନଙ୍କ ଅନୁଭୂତି, ପରିଚାଳନାଗତ ଆହ୍ୱାନ ଏବଂ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।
ଆଲୋଚନା ସମୟରେ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରଗୁଡ଼ିକରେ ଖାଦ୍ୟ ଓ ଜଳଖିଆ ସେବା ଯୋଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଅଭିଜ୍ଞତା ଓ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସେମାନଙ୍କର ଉଦ୍ୟୋଗୀ ମନୋଭାବ ଏବଂ ଅବଦାନକୁ ପ୍ରଶଂସା କରିବା ସହ ପର୍ଯ୍ୟଟକମାନଙ୍କୁ ଗୁଣାତ୍ମକ, ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷିବା, ସ୍ୱଦେଶୀ ଉତ୍ପାଦର ପ୍ରଚାର କରିବା ଏବଂ ଆନ୍ତରିକ ଆତିଥ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ପ୍ରଦର୍ଶିତ କରିବା ସହ ମହିଳାମାନଙ୍କୁ ଅର୍ଥନୈତିକ ସୁଯୋଗ ଯୋଗାଇଦେବା ପାଇଁ ଏହି କେନ୍ଦ୍ରଗୁଡ଼ିକ ଏକ ଜୀବନ୍ତ ମଞ୍ଚ ଭାବେ ଗଢ଼ିଉଠିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ପଦକ୍ଷେପ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନଶୀଳତାକୁ ସୁଦୃଢ଼ କରିବା, ତୃଣମୂଳ ସ୍ତରରେ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିରେ ସହାୟକ ହେବ ବୋଲି ଆଶା କରାଯାଉଛି।
ପଥପାର୍ଶ୍ୱ ସୁବିଧା କେନ୍ଦ୍ରଗୁଡ଼ିକର ମୁଖ୍ୟ ବୈଶିଷ୍ଟ୍ୟ:
୧. ଯାତ୍ରୀମାନଙ୍କ ପାଇଁ ମାଗଣା ଅତ୍ୟାବଶ୍ୟକୀୟ ସୁବିଧା:
ସମସ୍ତ ୬୮ଟି କେନ୍ଦ୍ରରେ ଯାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଏବଂ ଆରାମଦାୟକ ବିଶ୍ରାମ ସ୍ଥଳୀ ଭଳି ଅତ୍ୟାବଶ୍ୟକୀୟ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ରହିଛି। ଯାତ୍ରୀମାନେ କେବଳ ଏହି କେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ କିଣୁଥିବା ଖାଦ୍ୟ ଓ ପାନୀୟ ପାଇଁ ହିଁ ମୂଲ୍ୟ ପ୍ରଦାନ କରିବେ।
୨. ସୁରକ୍ଷା ଏବଂ ନିରବଚ୍ଛିନ୍ନ ସେବା:
୨୪ ଘଣ୍ଟିଆ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ପାଇଁ ସମସ୍ତ କେନ୍ଦ୍ରରେ ସିସିଟିଭି (CCTV) ନଜରଦାରୀ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଡିଜି ସେଟ୍ (DG sets) ଏବଂ ଇନଭର୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି।
୩. ନିଯୁକ୍ତି ସୃଷ୍ଟି :
କେନ୍ଦ୍ରଗୁଡ଼ିକର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ CFMS ଏଜେନ୍ସି ମାଧ୍ୟମରେ ପ୍ରତ୍ୟେକ କେନ୍ଦ୍ରରେ ୮ ଜଣ ଲେଖାଏଁ ଚୁକ୍ତିଭିତ୍ତିକ କର୍ମଚାରୀ ନିୟୋଜିତ କରାଯାଇଛି। ତଦନୁଯାୟୀ, ୬୮ଟି କେନ୍ଦ୍ରରେ ମୋଟ ୫୪୪ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି, ଯେଉଁଥିରେ ୨୦୪ ଜଣ ସୁରକ୍ଷା କର୍ମୀ, ୨୭୨ ଜଣ ପରିମଳ କର୍ମଚାରୀ ଏବଂ ୬୮ ଜଣ ରକ୍ଷଣାବେକ୍ଷଣ କର୍ମଚାରୀ ଅନ୍ତର୍ଭୁକ୍ତ।
ରାଜ୍ୟ ସରକାର ଏହି କେନ୍ଦ୍ରଗୁଡ଼ିକୁ ଓଡ଼ିଶାର ଆତିଥ୍ୟ, ସ୍ୱଚ୍ଛତା ଏବଂ ସୁରକ୍ଷାର ପ୍ରତୀକ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ରାଜ୍ୟ ମଧ୍ୟ ଦେଇ ଯାତ୍ରା କରୁଥିବା ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କ ପାଇଁ ଏକ ଆରାମଦାୟକ ଓ ସ୍ମରଣୀୟ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବ।










