ଭୁବନେଶ୍ୱର: ପାର୍ବଣ ଋତୁରେ ରାଜ୍ୟରେ ବେଆଇନ ମଦ ଓ ନିଶାଦ୍ରବ୍ୟର ଉତ୍ପାଦନ, ବିକ୍ରୟ ଏବଂ ପରିବହନକୁ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଗତ ଅକ୍ଟୋବର ୧୦ରୁ ନଭେମ୍ବର ୧୦, ପର୍ଯ୍ୟନ୍ତ ରାଜ୍ୟସାରା ଚାଲିଥିବା ମାସବ୍ୟାପୀ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନରେ ମୋଟ ୪୫.୫୭ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଓ ଚୋରା ମଦ ଜବତ କରାଯାଇଛି। ଏହି ଅଭିଯାନ ସମୟରେ ଅବକାରୀ ବିଭାଗ ପକ୍ଷରୁ ମୋଟ ୭,୮୨୬ଟି ମାମଲା ରୁଜୁ କରାଯିବା ସହ ୩,୭୬୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ସମୟରେ ୩,୨୦୧ କେଜି ଗଞ୍ଜେଇ, ୬,୩୬୬ ଗ୍ରାମ ହେରୋଇନ୍, ୧୫୦.୫ ଲିଟର କଫ୍ ସିରପ୍, ୧୪,୧୯୩ କେଜି ମହୁଲ ଫୁଲ, ୧,୦୪୫ ଲିଟର ନକଲି ବିଦେଶୀ ମଦ ଏବଂ ୪,୨୮,୫୮୫ ଲିଟର ଚୋରା ଭାଟି ମଦ (ID Liquor) ଜବତ କରାଯାଇଛି। ଏଥିସହ ୪୦,୬୦,୪୧୦ ଲିଟର ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପୋଚ ନଷ୍ଟ କରାଯାଇଥିବା ବେଳେ ଏହି ବେଆଇନ କାର୍ଯ୍ୟକଳାପରେ ବ୍ୟବହୃତ ୪୪୨ଟି ଗାଡ଼ି ଜବତ ହୋଇଛି। ରାଜ୍ୟବ୍ୟାପୀ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଓ ନିରନ୍ତର ତଦାରଖ ଯୋଗୁଁ ଏହି ସ୍ୱତନ୍ତ୍ର ଅଭିଯାନ ସଫଳ ହୋଇପାରିଛି। ବେଆଇନ ମଦ ଓ ନିଶାଦ୍ରବ୍ୟର କାରବାରକୁ ରୋକିବା ସହ ରାଜ୍ୟରେ ନିଶାସେବନ ଜନିତ ସମସ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ଅବକାରୀ ବିଭାଗ ଆଗାମୀ ଦିନରେ ମଧ୍ୟ ନିଜର ନିରୀକ୍ଷଣ ଓ ପ୍ରବର୍ତ୍ତନ କାର୍ଯ୍ୟକୁ ଅଧିକ ଜୋରଦାର କରିବ।










