28.1 C
Bhubaneswar
Monday, November 9, 2026
Homeଓଡିଶାଆସନ୍ତାକାଲି ଠାରୁ ଦୁଇଦିନ ଧରି ମେଫେୟାର ଠାରେ ଆୟୋଜିତ ହେବ ମାଣ୍ଡିଆ ଦିବସ

ଆସନ୍ତାକାଲି ଠାରୁ ଦୁଇଦିନ ଧରି ମେଫେୟାର ଠାରେ ଆୟୋଜିତ ହେବ ମାଣ୍ଡିଆ ଦିବସ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଆସନ୍ତା ୧୦ ଓ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନଠାରେ ଦୁଇଦିନିଆ ପଞ୍ଚମ ମାଣ୍ଡିଆ ଦିବସ ପାଳନ କରାଯିବ । ଏହି ଅବସରରେ “ଶ୍ରୀ ଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢୀକରଣ” ଶୀର୍ଷକ ଏକ ସମ୍ମିଳନୀ ଆୟୋଜିତ ହେବ । ଚଳିତ ବର୍ଷ ‘ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ଜଳବାୟୁ ସହନଶୀଳ କୃଷି ଓ ପୁଷ୍ଟିଶସ୍ୟ ବା ଶ୍ରୀ ଅନ୍ନ ଚାଷ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ପ୍ରତିନିଧିତ୍ଵକୁ ପ୍ରତିଫଳିତ କରିବ ।ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଶ୍ରୀ ଅନ୍ନ ଅଭିଯାନ’ ଅଧିନରେ ୨୦୨୨ ମସିହାରେ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରାଯାଇଥିଲା । ପାରମ୍ପରିକ ଫସଲର ସଂରକ୍ଷଣ, ସ୍ଥାନୀୟ ଖାଦ୍ୟ ସୁରକ୍ଷା, ଗୋଷ୍ଠୀସ୍ତରୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଏବଂ ଗ୍ରାମାଞ୍ଚଳ କୃଷକଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଆଦିବାସୀ ଓ ଗ୍ରାମୀଣ କୃଷକମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ରାଜ୍ୟବ୍ୟାପୀ ଏହି ଦିବସ ପାଳନ କରାଯାଉଛି ।

୨୦୨୬ ମସିହାର ଏହି ସଂସ୍କରଣ ମାଣ୍ଡିଆ ଦିବସର କ୍ରମବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ୨୦୨୨ରେ ଏହାର ଶୁଭାରମ୍ଭ ପରେ ୨୦୨୩ ମସିହାରେ ‘ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ’ ଅବସରରେ ୧୦ ବର୍ଷିଆ ‘ଭୁବନେଶ୍ୱର ପୁଷ୍ଟିଶସ୍ୟ ଘୋଷଣାନାମା’ ଘୋଷଣା କରାଯାଇଥିଲା । ଏହା ପରେ ୨୦୨୪ରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ’ ସମ୍ପର୍କିତ ସମ୍ମିଳନୀ ଏବଂ ୨୦୨୫ରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ମହିଳା କୃଷକ’ ଶୀର୍ଷକ ସମ୍ମିଳନୀ ଆୟୋଜିତ ହୋଇଥିଲା । ୨୦୨୫ରେ ଆୟୋଜିତ ସମ୍ମିଳନୀରେ ‘ମହିଳା କୃଷକ ଓ କୃଷି ଐତିହ୍ୟର ସଂରକ୍ଷଣ’ ସମ୍ପର୍କିତ ଭୁବନେଶ୍ୱର ଘୋଷଣାନାମା’ ଉନ୍ମୋଚିତ ହୋଇଥିଲା।ଏହି ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ପ୍ରମୁଖ ଅନୁଷ୍ଠାନଗୁଡ଼ିକର ସହଯୋଗରେ ୫ଟି ବୈଷୟିକ ଅଧିବେଶନ ଆୟୋଜିତ ହେବ ।

ପ୍ରଥମ ଦିନରେ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ପକ୍ଷରୁ ‘କୃଷି ଜୈବବିବିଧତା ସଂରକ୍ଷଣ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ ଅଧିବେଶନ ଆୟୋଜିତ ହେବ । ଏହାସହିତ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ‘ଆମ ପରମ୍ପରା, ଆମ ସ୍ୱାସ୍ଥ୍ୟ, ଆମ ଭବିଷ୍ୟତ: ଜଳବାୟୁ ସହନଶୀଳ କୃଷି ଓ ସ୍ୱାସ୍ଥ୍ୟକର ଭବିଷ୍ୟତ ପାଇଁ ପଥ’ ଶୀର୍ଷକ ଅଧିବେଶନ ଆୟୋଜନ କରାଯିବ।
ସେହିପରି ୨ୟ ଦିନରେ ଆଇସିଏଆର- ଭାରତୀୟ ପୁଷ୍ଟିଶସ୍ୟ(ଶ୍ରୀ ଅନ୍ନ)ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଶାର ପୁଷ୍ଟିଶସ୍ୟଭିତ୍ତିକ ଅର୍ଥନୀତି: ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗୀକରଣ’ ଶୀର୍ଷକ ଅଧିବେଶନ ଆୟୋଜିତ ହେବ । ଏହାପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ପ୍ରାକୃତିକ କୃଷି ଓ ପୁଷ୍ଟିଶସ୍ୟ: ଚିରନ୍ତନ କୃଷି ପାଇଁ ପାରମ୍ପରିକ ଜ୍ଞାନର ପୁନରୁଦ୍ଧାର’ ଏବଂ ‘ତୃଣମୂଳସ୍ତରୀୟ ନବସୃଜନର ପଥପ୍ରଦର୍ଶକ : କୃଷକ ଓ କୃଷି ଉଦ୍ୟୋଗୀଙ୍କ ପ୍ରେରଣାଦାୟୀ ସଫଳ କାହାଣୀ’ ଶୀର୍ଷକ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ । ଏହି ଅଧିବେଶନଗୁଡ଼ିକରେ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ଭୂ-ପ୍ରଜାତି ବିହନ ସଂରକ୍ଷକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗୀମାନେ ଯୋଗଦେଇ ବିକେନ୍ଦ୍ରୀକୃତ ବିହନ ସାର୍ବଭୌମତ୍ଵ , ଜଳବାୟୁ ସହନଶୀଳତା ଓ ବଜାର ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ କାର୍ଯ୍ୟକାରୀ ରଣନୀତି ପ୍ରସ୍ତୁତ କରିବେ ।

ବୈଷୟିକ ଆଲୋଚନା ସହିତ ଏହି ସମ୍ମିଳନୀରେ ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ, ପାରମ୍ପରିକ କୃଷି ପଦ୍ଧତି ଓ ଉଦ୍ୟୋଗ ବିକାଶ ଉପରେ ଆଧାରିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ପକ୍ଷରୁ ମହିଳା ବିହନ ସଂରକ୍ଷକମାନଙ୍କ ଦ୍ୱାରା ପରିଚାଳିତ କୃଷି ଜୈବବିବିଧତା ଓ ଗୋଷ୍ଠୀଭିତ୍ତିକ ବିହନ ବ୍ୟାଙ୍କ ପ୍ରଦର୍ଶନ କରାଯିବ । ଏଥିସହିତ ‘ବିସ୍ମୃତ ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଓ ଏହାର ସ୍ଥାୟିତ୍ଵ’ ପ୍ରକଳ୍ପ ପକ୍ଷରୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ, ଟେଷ୍ଟିଂ ଓ ବିକ୍ରୟ ବ୍ୟବସ୍ଥା ରହିବ । କଟକସ୍ଥିତ ସିଦ୍ଧି ଅର୍ଗାନିକ୍ସ ପକ୍ଷରୁ ମିଲେଟ୍‌(ପୁଷ୍ଟିଶସ୍ୟ)ଭିତ୍ତିକ ଉତ୍ପାଦ ପ୍ରଦର୍ଶିତ ହେବ । ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କମ୍‌ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଚାଉଳ ଉତ୍ପାଦର ଟେଷ୍ଟିଂ, ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ୍‌ ପକ୍ଷରୁ ଆଞ୍ଚଳିକ ମିଲେଟ୍‌(ପୁଷ୍ଟିଶସ୍ୟ)ଖାଦ୍ୟ ଓ କୋରାପୁଟ କଫିର ପ୍ରଦର୍ଶନ କରାଯିବ । ଏଥିସହିତ କୃଷି-ବୈଷୟିକ ଷ୍ଟାର୍ଟଅପ୍‌ ମୁନିକୋ ଓ ଜଙ୍କଫ୍ରି ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନୀ ଓ ପ୍ରାୟୋଗିକ ଉପସ୍ଥାପନା କରାଯିବ।

ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଉଦ୍‌ଘାଟନୀ ସମାରୋହରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଡବ୍ଲୁ.ଏଚ୍.ଓର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଏବଂ ଏମ୍.ଏସ୍. ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ(ଏମ୍.ଏସ୍.ଆର.ଆର.ଏଫ୍)ର ଅଧ୍ୟକ୍ଷ ଡ଼ଃ. ସୌମ୍ୟା ସ୍ଵାମୀନାଥନ୍ ଏବଂ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଆଇସିଏଆର ମହାନିର୍ଦ୍ଦେଶକ ଡ. ମଙ୍ଗି ଲାଲ ଯାଟ୍‌, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇ କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking