ନୂଆଦିଲ୍ଲୀ: ୨୦୧୩ ମସିହାରେ ସହକର୍ମୀ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ”ତେହେଲକା” ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ଉଚ୍ଚତମ ନ୍ୟାୟାଳୟରୁ ଆଶ୍ୱସ୍ତି ମିଳିନାହିଁ। ତେଜପାଲଙ୍କ ୧୦ ବର୍ଷର ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗୁରୁବାର ଦିନ ଖାରଜ କରିଛନ୍ତି । ଏହି ନିଷ୍ପତ୍ତି ଫଳରେ, ଦଣ୍ଡାଦେଶ ବିରୋଧରେ ତାଙ୍କର ଆବେଦନ ବିଚାରାଧୀନ ଥିବା ସମୟରେ ତେଜପାଲଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ ।ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ଅଗଷ୍ଟ ୬ ତାରିଖର ରାୟ ବିରୋଧରେ ତେଜପାଲଙ୍କ ଯାଚିକାର ଶୁଣାଣି କରୁଥିଲେ। ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ନିମ୍ନ ଅଦାଲତ ତେଜପାଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ, ବୋମ୍ବେ ହାଇକୋର୍ଟ ସେହି ନିଷ୍ପତ୍ତିକୁ ବାତିଲ କରି ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।
ଶୁଣାଣି ସମୟରେ ତେଜପାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଦୀପାବଳି ଛୁଟି ପାଇଁ ତାଙ୍କୁ ସାମୟିକ ଭାବେ ଘରକୁ ଯିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ମାତ୍ର ଗୋଆ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ କଡ଼ା ବିରୋଧ କରିଥିଲେ । ଏହା ସହିତ ଗୋଆ ସରକାର ତେଜପାଲଙ୍କ ୧୦ ବର୍ଷର ଜେଲ ଦଣ୍ଡକୁ ବୃଦ୍ଧି କରି ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩ ନଭେମ୍ବର ମାସରେ ଗୋଆର ଏକ ତାରକା ହୋଟେଲ ଲିଫ୍ଟ ମଧ୍ୟରେ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତେଜପାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।










