ଭୁବନେଶ୍ୱର : କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ରାଜନୀତିରେ ତେଜିଲା ବାକ୍ଯୁଦ୍ଧ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା କରିବାକୁ ନବୀନ ଆହ୍ୱାନ ଦେଇଥିଲେ । ଏବେ ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୪ ବର୍ଷ ଧରି ଓଡ଼ିଶାର ଶାସନ ଦାୟିତ୍ୱରେ ରହିଥିବା ନବୀନ କୋଟିଆ ପ୍ରସଙ୍ଗରେ କାହିଁକି ନୀରବ ରହିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସେ ।
ପ୍ରଭାତୀ କହିଛନ୍ତି, ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ । ଏହି ସମୟ ମଧ୍ୟରୁ ୯ ବର୍ଷ ସେ ଏନ୍ଡିଏର ସହଯୋଗୀ ଭାବେ ମଧ୍ୟ ରହିଥିଲେ । ତେବେ ଏତେ ଦୀର୍ଘ ସମୟ ଶାସନରେ ରହିବା ସତ୍ତ୍ୱେ କୋଟିଆରେ ଓଡ଼ିଶାର ସ୍ୱାର୍ଥ ଏବଂ ଭୌଗୋଳିକ ସୀମାର ସୁରକ୍ଷା ପ୍ରସଙ୍ଗରେ ସେ କାହିଁକି ନିରବ ରହିଥିଲେ, ତାହାର ଜବାବ ଦେବାକୁ ପ୍ରଭାତୀ ଆହ୍ୱାନ ଦେଇଛନ୍ତି ।ଏହା ସହ ଦୀର୍ଘ ବର୍ଷର ନିଷ୍କ୍ରିୟତା ପରେ ଏବେ ହଠାତ୍ ଚିଠି ଲେଖିବାକୁ ନବୀନଙ୍କୁ ସାହସ କେଉଁଠୁ ଆସିଲା ବୋଲି କଟାକ୍ଷ କରିଛନ୍ତି ସେ । ନା ଏବେ କେହି ତାଙ୍କୁ କୋଟିଆ ପ୍ରସଙ୍ଗର ଗମ୍ଭୀରତା ବୁଝାଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।










