ଭୁବନେଶ୍ବର : ପୁଣି ଚର୍ଚ୍ଚାରେ ରାଜା ଚକ୍ର। ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି। କ୍ରସର କିଣାବିକା ମାମଲାରେ ଏବେ ଆକ୍ସନ ମୋଡ୍କୁ ଆସିଛି ଅର୍ଥନୈତିକ ଅପରାଧ ଶାଖା (EOW)। କେନ୍ଦୁଝରରେ ରାଜା ଚକ୍ର ଓ ତାଙ୍କ ସହଯୋଗୀ ସଦାଶିବ ସାମଲଙ୍କ ଘରେ EOWର ଦୁଇଟି ଟିମ୍ ଚଢ଼ାଉ କରିଛି ।ସୂଚନା ଅନୁସାରେ, କ୍ରସର କିଣାବିକାକୁ ନେଇ ଶୁଆକାଠୀ ଅଞ୍ଚଳର ଜଣେ କ୍ରସର ମାଲିକ EOWର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଆରମ୍ଭ କରିଥିଲା EOW। ଏହି କ୍ରମରେ ଗତ ୧୦ ତାରିଖରେ ତଦନ୍ତକାରୀ ଟିମ୍ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୁନଝରଣ ଗାଁରେ ପହଞ୍ଚି ସରଜମିନ ତଦନ୍ତ କରିଥିଲା ।
ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ସଦର ଥାନା ପୋଲିସ ଓ ସଦର ତହସିଲଦାରଙ୍କ ସହ ମିଶି ଘଟଣାସ୍ଥଳରେ ଯାଞ୍ଚ କରିଥିଲା। ଏହାସହ ସମ୍ପୃକ୍ତ ଜମିର ମାପଚୁପ ମଧ୍ୟ କରାଯାଇଥିଲା । ଏବେ ଏହି ମାମଲାରେ ରାଜା ଚକ୍ର ଓ ତାଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା।










