ପାଟଣା: ଭାରସାମ୍ୟ ହରାଇ ଚଳନ୍ତା ଟ୍ରାକ୍ଟରରୁ ଖସିପଡ଼ି ଚକ ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଥିବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଚାଳକ ଜଣକ ହେଉଛନ୍ତି ଏରେଣ୍ଡେଇ ତାଟିହୁଡ଼ି ସାହିର ତ୍ରିଲୋଚନ ମହାନ୍ତଙ୍କ ପୁଅ ରଞ୍ଜନ ମହାନ୍ତ (୩୬)।ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଏରେଣ୍ଡେଇ ଗ୍ରାମ ତାଟିହୁଡ଼ି ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରଞ୍ଜନ ଧାନ ବୋହିବା କାମ ସାରି ଟ୍ରାକ୍ଟର ନେଇ ଘରକୁ ଫେରୁଥିବା ସମୟ ରେ ଏରେଣ୍ଡେଇ ତାଟିହୁଡ଼ି ନିକଟରେ ସେ ଚଳନ୍ତା ଟ୍ରାକ୍ଟରରୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ଟ୍ରାକ୍ଟରର ବଡ଼ ଚକ ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପାଟଣା ପୁଲିସ ଏ ଏସ ଆଇ ଧନେଶ୍ୱର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ଏନେଇ ପାଟଣା ଥାନାରେ ୩୪୧/୨୦୨୬ ମୂଳେ ଏକ ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ମୃତକର ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି। ପୋଖରୀ ରେ ବୁଡି ଜଣେ ମୃତ: ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମର ଜଗବନ୍ଧୁ ମହାନ୍ତ(୫୦) ଆଜି ଗାଧୋଇବା କୁ ଯାଇ ପୋଖରୀ ରେ ବୁଡି ପ୍ରାଣ ହରାଇଛନ୍ତି।ସେ ଗାଧୋଇବା କୁ ଯାଇ ଫେରିବାରେ ବିଳମ୍ବ ହେବାରୁ ଖୋଜାଖୋଜି ସମୟରେ ତାଙ୍କୁ ପୋଖରୀ ରୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟଣା ଥାନା ଅପମୃତ୍ୟୁ ମାମଲା ୫୭/୨୦୨୬ ମୂଳେ ଏ ଏସ ଆଇ ଜିତେନ୍ଦ୍ର କୁମାର ପଟେଲ ମୃତକର ଶବ ବ୍ୟବଚ୍ଛେଦ କରାଇ ପରିବାର କୁ ହସ୍ତାନ୍ତର କରିଛନ୍ତି।










