27.1 C
Bhubaneswar
Sunday, November 1, 2026
Homeଓଡିଶାକ୍ଷେତ୍ର ପରିଦର୍ଶନରୁ ଫେରି ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତି ଓ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ପାଇଁ...

କ୍ଷେତ୍ର ପରିଦର୍ଶନରୁ ଫେରି ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତି ଓ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ନାଏକ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମାନ୍ୟଵର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏହି ବୈଠକରେ ଅଧ୍ୟକ୍ଷତା କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ କିଛି ଦିନ ଧରି ମାନ୍ୟବର ମନ୍ତ୍ରୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ବାତ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ରାଇକିଆ ବ୍ଲକ୍‌ର ମାଣିକେଶ୍ୱର ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରଭାବିତ ଗ୍ରାମଗୁଡ଼ିକର ସ୍ଥିତି, କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବିଚ୍ଛିନ୍ନ ହୋଇଥିବା ଗ୍ରାମଗୁଡ଼ିକରେ ରିଲିଫ୍ ଓ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ସମ୍ପର୍କରେ ସେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଘର କ୍ଷତିଗ୍ରସ୍ତ ହୋଇଥିବା ଏବଂ ଲୋକମାନେ ଆହତ ହୋଇଥିବା ଘଟଣା ସମ୍ପର୍କରେ ସେ ଅବଗତ ହେବା ସହ ପ୍ରଭାବିତ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ମିଳିଥିବା ଅନୁଭୂତି ଓ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଆଧାର କରି ଆଜିର ବୈଠକରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଗିରିଶ ଏସ.ଏନ୍., ଗ୍ରାମ୍ୟ ଉନ୍ନୟନ ବିଭାଗର ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ, ବିଭାଗୀୟ ନିର୍ଦ୍ଦେଶକବୃନ୍ଦ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚଯନ୍ତ୍ରୀ (EIC) ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଚାଲୁ ରହିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ, ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ରାସ୍ତା ଓ ସେତୁର ସ୍ଥିତି ସମ୍ପର୍କରେ ତଥ୍ୟ ଓ ବିବରଣୀ ଉପସ୍ଥାପନ କରିଥିଲେ।

ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣର ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ୨,୫୯୩ଟି ନଳକୂପ ମରାମତି ଓ ବିଶୋଧନ କାର୍ଯ୍ୟ ଶେଷ ହୋଇଥିବାବେଳେ, ୩୯୩ଟି ପ୍ରଭାବିତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୧୬୨ଟିକୁ ପୁନଃକାର୍ଯ୍ୟକ୍ଷମ କରାଯାଇଛି ଏବଂ ୨୨୭ଟି ପାଇପ୍ ଜଳ ଯୋଗାଣ ଉତ୍ସର ବିଶୋଧନ କରାଯାଇଛି। ଜଳର ନିରାପତ୍ତା ଯାଞ୍ଚ ପାଇଁ ୭୪୬ଟି ନଳକୂପ ଜଳ ନମୁନା ଓ ୧୮୫ଟି ପାଇପ୍ ଜଳ ଯୋଗାଣ ନମୁନା ପରୀକ୍ଷା କରାଯାଇଛି। ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ପାଇଁ ୨୩୫ଟି ଜଳ ଟ୍ୟାଙ୍କର, ୮୦ଟି ଟ୍ରାକ୍ଟର ଚାଳିତ ସିନଟେକ୍ସ ଟାଙ୍କି ଓ ୧୬ଟି ସ୍ୱତନ୍ତ୍ର ଜଳ ଯୋଗାଣ ଟ୍ରାକ୍ଟର ନିୟୋଜିତ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ୮ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ନିୟୋଜିତ ହୋଇଥିବାବେଳେ ଆଉ ୪ଟି ୟୁନିଟ୍ ମଧ୍ୟ ପଠାଯାଉଛି। ଏହି ୟୁନିଟ୍ ମାଧ୍ୟମରେ ୨,୭୬,୫୦୦ଟି ପାଣି ବୋତଲ ଓ ୧,୬୨,୫୦୦ଟି ପାଣି ପାଉଚ୍ ବଣ୍ଟନ କରାଯାଇଥିବାବେଳେ ଆବଶ୍ୟକତା ଅନୁଯାୟୀ ତୁରନ୍ତ ବଣ୍ଟନ ପାଇଁ ଆଉ ୨,୬୦,୦୦୦ ୟୁନିଟ୍ ମହଜୁଦ ରଖାଯାଇଛି। ଜଳ ଉତ୍ସଗୁଡ଼ିକର ବିଶୋଧନ ପାଇଁ ୧,୦୩୬ ବସ୍ତା ବ୍ଲିଚିଂ ପାଉଡର ମଧ୍ୟ ମହଜୁଦ ରଖାଯାଇଛି। ମାନ୍ୟବର ମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଗୁରୁତ୍ୱାରୋପ କରିଥିଲେ। ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ କୌଣସି ଅଞ୍ଚଳରେ ଯେପରି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ଯେଉଁଠାରେ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି କିମ୍ବା ଜଳ ଯୋଗାଣରେ ବାଧା ଉପୁଜିଛି, ସେଠାରେ ତୁରନ୍ତ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି, ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ସତର୍କତା ଅବଲମ୍ବନ କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ପ୍ରଭାବିତ ହେବାର ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ, ଆବଶ୍ୟକୀୟ ସାମଗ୍ରୀ ଓ ଜରୁରୀକାଳୀନ ସେବାର ଉପଲବ୍ଧତା ସୁନିଶ୍ଚିତ କରିବା ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ପୂର୍ବରୁ ପ୍ରସ୍ତୁତ ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କ୍ଷତିଗ୍ରସ୍ତ ପାନୀୟ ଜଳ ପ୍ରକଳ୍ପ, ରାସ୍ତାଘାଟ ଓ ଅନ୍ୟାନ୍ୟ ଗ୍ରାମ୍ୟ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ସ୍ଥଳେ ଅଧିକ ଲୋକବଳ ଓ ସାଧନ ନିୟୋଜିତ କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରଭାବିତ ଲୋକଙ୍କୁ ରିଲିଫ୍ ଓ ଆବଶ୍ୟକ ସହାୟତା ଯେପରି ଠିକ୍ ସମୟରେ ପହଞ୍ଚିବ, ସେଥିପାଇଁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ କହିଥିଲେ। କ୍ଷେତ୍ରସ୍ତରରେ ରହିଥିବା ବାସ୍ତବ ସମସ୍ୟାକୁ ଗୁରୁତ୍ୱ ଦେଇ ସମସ୍ତ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରିତ ଭାବେ ସମ୍ପନ୍ନ କରିବା ଏବଂ ଅଧିକାରୀମାନେ ନିୟମିତ ଭାବେ କାର୍ଯ୍ୟର ଅଗ୍ରଗତି ତଦାରଖ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking